ପରୀକ୍ଷା ଚିନ୍ତାରେ ଆଦିବାସୀ ଛାତ୍ରୀ

କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଅଧୀନ ଗୋନାସିକାସ୍ଥିତ ଏସ୍‌ଟି, ଏସ୍‌ସି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ ହୋଇଛି। ଏ ନେଇ ଛାତ୍ରୀମାନେ ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ ଚିଠି ଲେଖି ସମସ୍ୟା ସମାଧାନ ପାଇଁ ନିବେଦନ କରିଛନ୍ତି। ବିଦ୍ୟାଳୟରେ ଅଧ୍ୟୟନ କରି ଆସୁଥିବା କେନ୍ଦୁଝର ଜିଲାର ପୁରାତନ ଜନଜାତି ଜୁଆଙ୍ଗ, ଭୂୟଁା, ଗଣ୍ଡ, ବାଥୁଡ଼ି, ମୁଣ୍ଡା, ସାଉନ୍ତି, ପାତ୍ର, ସାନ୍ତାଳ ଜାତିର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବେ ବୋଲି ମଧ୍ୟ କହିଛନ୍ତି।
ଅଭିଯୋଗ ଅନୁଯାୟୀ, ୧୯୭୯ଠାରୁ ଗୋନାସିକାରେ ଜୁଆଙ୍ଗ ଉନ୍ନୟନ ସଂସ୍ଥା କାର୍ଯ୍ୟ କରିଆସୁଛି। ଜୁଆଙ୍ଗଙ୍କ ପ୍ରକୃତ ଆବଶ୍ୟକତା ଉପରେ ଦୃଷ୍ଟି ଦିଆଯାଉ ନ ଥିବାରୁ ବହୁ ଆଲୋଚନା ପରେ କେନ୍ଦ୍ର ସରକାର ୨୦୦୮ରେ ଦେଶର ଜୁଆଙ୍ଗ ଜନଜାତି ଝିଅପୁଅଙ୍କ ଶିକ୍ଷାର ଉନ୍ନତିକୁ ଅଧିକ ଦୃଷ୍ଟି ଦେଇ ଓଡ଼ିଶାର ୧୩ଟି ଓ ଅତି ପଛୁଆ ଆଦିବାସୀଙ୍କ ପାଇଁ ୬ଟି ଶିକ୍ଷା ନିକେତନ ଖୋଲିଛନ୍ତି। ଆଦିବାସୀ ବିଭାଗର ଆର୍ଥିକ ସହାୟତାରେ ଉନ୍ନୟନ ସଂସ୍ଥା ଜରିଆରେ ପରିଚାଳିତ ହୋଇଆସୁଛି। କେନ୍ଦ୍ର ସରକାର ସମୟକ୍ରମେ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲେ। ପ୍ରଥମେ ସ୍ଥାନୀୟ ଛାତ୍ରୀଛାତ୍ରଙ୍କ ପଢ଼ା ପ୍ରତି ଆଗ୍ରହ ରହୁ ନ ଥିଲେ ମଧ୍ୟ କିଛି ବର୍ଷ ଅଭ୍ୟସ୍ତ ହେଲା ପରେ ସେମାନଙ୍କଠାରେ ଅଧିକ ଆଗ୍ରହ ଦେଖିବାକୁ ମିଳିଲା। ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା ପାଇଁ ଦାବି ହେଲା। ସରକାର ପ୍ରଥମରୁ ଅଷ୍ଟମ, ପରେ ନବମ ଓ ଦଶମ ଶ୍ରେଣୀ ଖୋଲିଥିଲେ। ସେଥିରେ ଅଞ୍ଚଳବାସୀଙ୍କ ଲକ୍ଷ୍ୟ ପୂରଣ ହେଲାନାହିଁ। ଛାତ୍ରୀଛାତ୍ର +୨, +୩ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଦାବି କରି ଆସୁଛନ୍ତି। ସେଥିପାଇଁ ସରକାର କ୍ରମାନ୍ବୟରେ +୨ ଖୋଲିଥିଲେ। ୨୦୨୪ରୁ କଳା ବିଭାଗରେ ୬୦ ଓ ବିଜ୍ଞାନରେ ୫୯ ଆଦିବାସୀ ଛାତ୍ରୀ ନାମ ଲେଖାଇଛନ୍ତି। ପୁନଶ୍ଚ ଚଳିତ ୨୦୨୫-୨୦୨୬ ଶିକ୍ଷାବର୍ଷରେ ବିଭିନ୍ନ ଅବ୍ୟବସ୍ଥା ପାଇଁ ବିଜ୍ଞାନରେ ୧୧ ଏବଂ କଳା ବିଭାଗରେ ୮ଜଣ ଛାତ୍ରୀ ନାମ ଲେଖାଇ ହଇରାଣ ହେଉଥିବା ଉଲ୍ଲେଖ କରିଛନ୍ତି। ଏଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷାଦାନ ପାଇଁ କୋଠରି, ଛାତ୍ରୀ ନିବାସ, ବିଜ୍ଞାନ ସରଞ୍ଜାମ, କାର୍ଯ୍ୟାଳୟ, ଲାଇବ୍ରେରି କୋଠରି, ସଭାସମିତି ଗୃହନାହିଁ। ଚତୁର୍ଥ ଶ୍ରେଣୀ କର୍ମଚାରୀ, କିରାଣି, ଡେମନ୍‌ଷ୍ଟ୍ରେଟର, ରାତ୍ର ଜଗୁଆଳିଙ୍କ ସମେତ କଳା ବିଭାଗର ଏଜୁକେଶନ ଓ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗରେ ଅଧ୍ୟାପକ ନାହାନ୍ତି। ଏଣୁ ପାଠପଢ଼ା ଠିକ୍‌ ଭାବରେ ହୋଇପାରୁନାହିଁ। ଆସନ୍ତା ଫେବୃଆରୀରେ +୨ ଦ୍ୱିତୀୟ ବର୍ଷ ବୋର୍ଡ ପରୀକ୍ଷା ହେବାକୁ ଥିବା ବେଳେ ଛାତ୍ରୀମାନେ ପରୀକ୍ଷାରେ କ’ଣ ଲେଖିବେ ବୋଲି ଚିନ୍ତାରେ ପଡ଼ିଥିବା ବର୍ଷା ମୁଣ୍ଡା, ସୁମିତ୍ରା ମୁଣ୍ଡା, ରିଙ୍କି ମୁଣ୍ଡା, ରଜନୀ ସୋରେନ, ରେବତୀ ଦେହୁରୀ, ପାର୍ବତୀ ମାଝୀଙ୍କ ସମେତ ୭୦ରୁ ଊଦ୍ଧର୍‌ବ ଛାତ୍ରୀ ଲିଖିତ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପଞ୍ଚାୟତ ସମିତି ସଭ୍ୟ କୃଷ୍ଣ ଜୁଆଙ୍ଗ କୁହନ୍ତି, ବିିଭିନ୍ନ ସମସ୍ୟାକୁ ନେଇ ସେ ବ୍ଲକ୍‌ ଓ ଜିଲା ପ୍ରଶାସନକୁ ଅବଗତ କରିଛନ୍ତି। ତେବେ ସମାଧାନ ହେଉ ନ ଥିବାରୁ ଛାତ୍ରୀମାନେ ଏବେ ନିଜେ ଅଭିଯୋଗ କରି ଦାବିପତ୍ର ଦେଉଛନ୍ତି।
ଏ ସଂକ୍ରାନ୍ତରେ ଜିଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି କହିଛନ୍ତି, ଅଧ୍ୟାପକ ଅଭାବ ଯୋଗୁ ସମସ୍ୟା ଦେଖାଦେଇଛି। ଏ ନେଇ ବିଭାଗ ଅବଗତ ଅଛି। ତୁରନ୍ତ ଏହାର ସମାଧାନ ହୋଇଯିବ।