ୱାଶିଂଟନ୍: ଗ୍ରୀକ୍-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ମାଇକେଲ୍ ଜେର୍ଭୋସ ୪୯୯ ଦିନ ମଧ୍ୟରେ ବିଶ୍ୱର ୧୯୫ଟି ଦେଶ ଭ୍ରମଣ କରି ରେକର୍ଡ ସ୍ଥାପନ କରିଛନ୍ତି। ତେବେ ଏହି ଯାତ୍ରାର ଉଦ୍ଦେଶ୍ୟ କେବଳ ରେକର୍ଡ ସ୍ଥାପନ କରିବା ନ ଥିଲା ବୋଲି ଜେର୍ଭୋସ୍ କହିଛନ୍ତି। ବିଶ୍ୱବ୍ୟାପୀ ବିଭିନ୍ନ ଦେଶର ଲୋକେ ସେମାନଙ୍କ ଜୀବନର ସବୁଠାରୁ ଖୁସିର ଦିନ ବିଷୟରେ କ’ଣ ଭାବନ୍ତି ତାହା ସେ ଏହି ଯାତ୍ରା ଯୋଗେ ଜାଣିବାକୁ ଚାହିଁଥିଲେ। ତେଣୁ ଏହି ଯାତ୍ରାରେ ସେ ଭେଟିଥିବା ପ୍ରତ୍ୟେକ ଲୋକଙ୍କୁ କେବଳ ଗୋଟିଏ ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନ ଥିଲା, ଆପଣଙ୍କ ଜୀବନର ସବୁଠାରୁ ଖୁସିର ଦିନ କ’ଣ ଥିଲା ଏବଂ ଏହାର କାରଣ କ’ଣ।
୨୦୨୩ରେ ତାଙ୍କର ଏହି ବିଶ୍ୱ ଭ୍ରମଣ ଯାତ୍ରା ଆରମ୍ଭ କରିଥିଲେ। ସେ ଏହି ଯାତ୍ରାକୁ ପ୍ରୋଜେକ୍ଟ କୋସ୍ମୋସ୍ର ନାମ ଦେଇଥିଲେ, ଯାହା ଅଧୀନରେ ସେ ସାରା ବିଶ୍ୱର ଲୋକଙ୍କୁ ତାଙ୍କ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ବିଷୟରେ ପଚାରିଥିଲେ। ଏହି ଯାତ୍ରାରେ ସେ ଅନେକ ସଂଖ୍ୟାରେ ଫେସ୍ ଟୁ ଫେସ୍ ଇଣ୍ଟରଭ୍ୟୁ ନେଇଥିଲେ। ତାଙ୍କର ଅନେକ ସାକ୍ଷାତ୍କାର ଖୁବ୍ ଆକର୍ଷଣୀୟ ଏବଂ ପ୍ରେରଣାଦାୟକ ଥିଲା ବୋଲି ନିକଟରେ ମିରର୍ ୱେବସାଇଟ୍ ସହ ଆଲୋଚନା ବେଳେ ଜେର୍ଭୋସ ପ୍ରକାଶ କରିଛନ୍ତି।
କହିଛନ୍ତି, ଫିନ୍ଲାଣ୍ଡର ଲୋକମାନେ ସେମାନଙ୍କ ଖୁସି ବିଷୟରେ କହିବାକୁ ବେଶୀ ସଙ୍କୋଚ କରୁଥିଲେ। ସେଠାକାର ଲୋକେ ବାହ୍ୟଜଗତ ସହ ଅଧିକ ଜଡିତ ରହିଥିଲେ ମଧ୍ୟ ନିଜ ଭାବନା ପ୍ରକାଶ କରିବାରେ ସଙ୍କୋଚ କରୁଥିବା ନେଇ ସେ ଅନୁଭବ କରିଥିଲେ। ସେହିପରି ଜାପାନର ରାଜଧାନୀ ଟୋକିଓରେ ତାଙ୍କର ଏକ ଅଜବ ଅଭିଜ୍ଞତା ହୋଇଥିଲା ବୋଲି ଜେର୍ଭୋସ କହିଛନ୍ତି। ଟୋକିଓ ଏକ ଅତ୍ୟାଧୁନିକ ସହର ହୋଇଥିବା ମନରେ ଭାବି ସେ ସେଠାକୁ ଯାଇଥିଲେ। କିନ୍ତୁ ସେଠାକାର ଲୋକମାନେ ନିଜ ନିଜ ଦ୍ରୁତଗତିର ଜୀବନଶୈଳୀରେ ଏକଲାପଣ ଏବଂ ମାନସିକ ଭାବେ କ୍ଳାନ୍ତ ଅନୁଭବ କରୁଥିବା ସେ ଅନୁଭବ କରୁଥିଲେ। ସେଠାକାର ଲୋକେ କେବଳ ବଡ଼ ଘଟଣା କିମ୍ବା ସଫଳତାରେ ନୁହେଁ, ବରଂ ଛୋଟ ଛୋଟ ମୁହୂର୍ତ୍ତରେ ମଧ୍ୟ ଖୁସି ଖୋଜିଥାନ୍ତି ବୋଲି ଜେର୍ଭୋସ କହିଛନ୍ତି। ବୟସ ସହ ଲୋକଙ୍କ ଖୁସିର ପରିଭାଷାରେ ମଧ୍ୟ ପରିବର୍ତ୍ତନ ଆସିଥାଏ, ତାହା ସେ ଏହି ଯାତ୍ରାରୁ ଅନୁଭବ କରିଥିବା ଜେର୍ଭୋସ କହିଛନ୍ତି।