ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦିନକ ପରେ ମାସେ ପୂରିବ। ହେଲେ ଏଠାରେ ଧାନ କିଣାବିକା ସମସ୍ୟା ଲାଗି ରହିଛି। ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। କିନ୍ତୁ ଦୀର୍ଘଦିନ ଧରି ତାହା ପଡ଼ି ରହୁଛି। ସେହିପରି ଅନେକ ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ବାସ୍ତବତାଠାରୁ ବହୁ କମ୍ ରହିଥିବାବେଳେ ଭୂମିହୀନଙ୍କ ନାମରେ ଧାନବିକ୍ରି ହେଉଥିବା ନେଇ ଏକ ଗୁରୁତର ଅଭିଯୋଗ ହୋଇଛି। ଗୁରୁବାର ଏଭଳି ଅଭିଯୋଗ ନେଇ ବରଗଡ଼ ଜିଲା ସୋହେଲା ବ୍ଲକ ପାଣିମୋରା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଅଧିନରେ ରହିଥିବା ଅନେକ ଚାଷୀ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ସେମାନେ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଉପରୋକ୍ତ ପାକ୍ସରେ ଚଞ୍ଚକତା କରି ଭୂମିହୀନ, ଗଭୀର ନଳକୂପ ଖୋଳି ନ ଥିବା ଏବଂ କେତେକଙ୍କ ଗଭୀର ନଳକୂପକୁ ବିଦ୍ୟୁତ୍ ସଂଯୋଗ ହୋଇ ନ ଥିବା ସତ୍ତ୍ୱେ ଲୋକଙ୍କୁ ଧାନବିକ୍ରି ପାଇଁ ପଞ୍ଜୀକୃତ କରାଯାଇଛି। ଏପରିକି ସମ୍ପୃକ୍ତ ଲୋକଙ୍କ ନାମରେ ଧାନବିକ୍ରି ଟୋକନ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ନାମରେ ଧାନ ବିକ୍ରି ମଧ୍ୟ ହୋଇସାରିଛି। ଏପରିକି ଏଭଳି ଲୋକଙ୍କ ଏକାଧିକ ପରିବାର ସଦସ୍ୟଙ୍କ ନାମକୁ ସେଭଳି ପଞ୍ଜିକୃତ କରାଯାଇଛି ଏବଂ ସମସ୍ତଙ୍କ ନାମରେ ୬୫କୁଇଣ୍ଟାଲ ଲେଖାଏଁ ଧାନବିକ୍ରି ପାଇଁ ଟୋକନ ଆସିଛି। ଅନ୍ୟପଟେ ଅଞ୍ଚଳର ଚାଷୀମାନଙ୍କୁ ଧାନବିକ୍ରି ପାଇଁ ଯେଉଁ ଟୋକନ ମିଳିଛି, ସେଥିରେ ବହୁ କମ୍ ପରିମାଣରେ ବିକ୍ରିଯୋଗ୍ୟ ଧାନ ପରିମାଣ ଉଲ୍ଲେଖ ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ତେବେ ଏହି ଧାନବିକ୍ରି କେଳେଙ୍କାରୀରେ ଅଞ୍ଚଳରେ ଏକ ବଡ଼ ର଼୍ୟାକେଟ୍ କାମ କରୁଥିବାବେଳେ ଏଥିରେ କେତେକ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ଧାନ ବେପାରୀଙ୍କ ହାତ ମଧ୍ୟ ରହିଥିବା ଅଭିଯୋଗ ହୋଇଛି। ଧାନବିକ୍ରିରେ ଏଭଳି ଜାଲିଆତି ଧାନ ସଂଗ୍ରହ ପ୍ରକ୍ରିୟାର ସ୍ବଚ୍ଛତାକୁ ପଦାରେ ପକାଇ ଦେଇଛି ବୋଲି ଚାଷୀମାନେ କହିଛନ୍ତି।
ଏହି ଘଟଣା ପଦାକୁ ଆସିବା ପରେ ସମ୍ପୃକ୍ତ ପାକ୍ସର ସମ୍ପାଦକ ଏବଂ ଆକାଉଣ୍ଟାଣ୍ଟକୁ ନିଲମ୍ବିତ କରାଯାଇଛି। ମାତ୍ର ଏଥିରେ ଆହୁରି କର୍ମଚାରୀଙ୍କ ସମ୍ପୃକ୍ତି ଥିବାବେଳେ ଏଭଳି ଜାଲିଆତି ଅନ୍ୟ କେତେକ ପାକ୍ସକୁ ମଧ୍ୟ ବ୍ୟାପିଥିବା ଚର୍ଚ୍ଚା ଚାଲିଛି। ଫଳରେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ସମ୍ପୃକ୍ତ କର୍ମଚାରୀ ଏବଂ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନର ସଭାପତି ସୁଶିଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆ, ସୋହେଲା ବ୍ଲକ ସଭାପତି ସୁରେନ୍ଦ୍ର ମେହେର, ତପୋବନ୍ତ ନାୟକ, ଅଶ୍ୱିନୀ ପ୍ରଧାନ, ମୁକୁନ୍ଦ ପ୍ରଧାନ, ସୁରସେନ ବାରିକ, ସୌମ୍ୟରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।