ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ୍‌

କେସିଙ୍ଗା,୪ା୪(ତୁମେଶର ସାହୁ): ସମ୍ବଲପୁର ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ରେଳ ଷ୍ଟେଶନ ନିକଟ ରେଳ ବ୍ରିଜ ନିକଟରେ ଶୁକ୍ରବାର ବିଶାଖାପାଟଣାରୁ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ମାଲବାହୀ ଟ୍ରେନ୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ସୂଚନାକ୍ରମେ ଭୋର ୪ଟା ସମୟରେ ସାର ବୋଝେଇ ଟ୍ରେନ୍‌ର ୫ନଂ. ବଗି ସଂଯୋଗ ସ୍ଥଳୀରୁ ପୃଥକ୍‌ ହୋଇ ପ୍ରାୟ ୧୫୦ଫୁଟ ଦୂରରେ ରହିଯାଇଥିଲା। ଏହି ସମୟରେ ଜୋର ଶବ୍ଦ ହେବାରୁ ଲୋକୋ ପାଇଲଟ କାଣ୍ଡେଲ ରୋଡ଼ ଷ୍ଟେଶନ ମାଷ୍ଟରଙ୍କୁ ଖବର ଦେଇଥିଲେ। ଷ୍ଟେଶନ ମାଷ୍ଟର ଟିଟିଲାଗଡ଼ ମୁଖ୍ୟ ଅଫିସକୁ ଖବର ଦେବାରୁ ସକାଳ ୮ଟାରେ ମେକାନିକ ଦଳ ଆସି ଯୁଦ୍ଧକାଳୀନ ଭିତ୍ତିରେ ଟ୍ରେନର ପୃଥକ୍‌ ବଗିକୁ ସଂଯୋଗ କରିଥିଲେ। ଟ୍ରେନ୍‌ର ଗତି ମନ୍ଥର ଥିବାରୁ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ଲୋକୋ ପାଇଲଟ ଓ ମେକାନିକ ଦଳ ପରୀକ୍ଷାନିରୀକ୍ଷା କଲାପରେ ୪ ଘଣ୍ଟା ବିଳମ୍ବରେ ଟ୍ରେନ୍‌ ଟିଟିଲାଗଡ ଅଭିମୁଖେ ଯାଇଥିଲା।