ବଲାଙ୍ଗୀର,୪।୧୧(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ଏସପିଙ୍କ ଘର ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଟ୍ରଲର-ଟ୍ରକ ଧକ୍କା ହୋଇଛି। ଏଥିରେ ଟ୍ରଲର ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି। ଦୁଇ ଗାଡି ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା।
ସୂଚନା ଅନୁଯାୟୀ, ରାତି ୨ଟା ସମୟରେ ସମ୍ବଲପୁରରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ଓ ଭବାନୀପାଟଣାରୁ ଆସୁଥିବା ଏକ ଟ୍ରଲର ଗାଡି ବଲାଙ୍ଗୀର ଏସପିଙ୍କ ଘର ସମ୍ମୁଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବଲାଙ୍ଗୀର ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଟାଉନ ପୋଲିସ ଟ୍ରଲର ଡ୍ରାଇଭରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଗୁରୁତର ଡ଼୍ରାଇଭରଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ।
ଅନ୍ୟପଟେ ଟ୍ରଲର ଗାଡିର ଟାଙ୍କି ଫାଟି ଡିଜେଲ ଲିକ ହୋଇ ରାସ୍ତାରେ ପଡ଼ିଥିବାରୁ ଏହାକୁ ଅଗ୍ନିଶମ ବିଭାଗ ପାଣି ମାରି ଧୋଇଥିଲା l ଭୋର ୫ଟାରେ ପୋଲିସ କ୍ରେନ ସାହାଯ୍ୟରେ ରାସ୍ତା ମଝିରୁ ଟ୍ରଲରକୁ ହଟାଇବା ପରେ ଗାଡି ମଟର ଚଳାଚଳ କରିଛି। ବାଇପାସ ରାସ୍ତା ନ ଥିବାରୁ ପ୍ରାୟତଃ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ।