ଟ୍ରେଲର-ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ଜୀବନ

ପାଟଣା,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା କରଞ୍ଜିଆ ୨୨୦ ନମ୍ବର ଜାତୀୟ ରାଜପଥ ସାହାରପଡା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର-ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗାନାଳୀ ଗ୍ରାମ ଯୁଧିଷ୍ଟିର ମୁଣ୍ଡା(୨୮)ଓ ସରୋଜ ମାହାନ୍ତ(୨୭)।

ମିଳିଥିବା ସୂଚନା ମୁତାବକ, ସାହାରପଡ଼ା ପେଟ୍ରୋଲ ପମ୍ପ ନିକଟରେ ଟ୍ରେଲର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ଟ୍ରେଲର ବାଇକ୍‌ ଚାପି ଦେଇଥିଲା। ଫଳରେ ବାଇକରେ ଥିବା ୨ଜଣ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦ୍ୱୟଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦ୍ୱୟକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।