ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୮ ମୃତ ୫୦ରୁ ଅଧିକ ଆହତ

ବୁଲନ୍ଦସହର,୨୫।୮: ଉତ୍ତରପ୍ରଦେଶ ବୁଲନ୍ଦସହରର ଖୁର୍ଜାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। NH ୩୪ରେ ଆର୍ନିଆ ଅଞ୍ଚଳର ଘାଟଲ ଗାଁ ନିକଟରେ ଶ୍ରଦ୍ଧାଳମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଟ୍ରଲିକୁ ଏକ କଣ୍ଟେନର ପଛରୁ ଧକ୍କା ଦେଇଥିଲା। ଟ୍ରଲିରେ ଯାତ୍ରା କରୁଥିବା ଆଠ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ଡିଏମ ଶ୍ରୁତି ଏବଂ ଏସଏସପି ଦିନେଶ କୁମାର ସିଂହ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କ ଅବସ୍ଥା ପଚାରି ବୁଝିଛନ୍ତି।
ଏସପି ଗ୍ରାମୀଣ ଡକ୍ଟର ତେଜବୀର ସିଂହ କହିଛନ୍ତି ଯେ କାସଗଞ୍ଜ ଜିଲାର ସୋରୋ ଥାନା ଅଞ୍ଚଳର ରଫାୟଦପୁର ଗାଁରେ ରହୁଥିବା ଭକ୍ତମାନେ ରବିବାର ସା୬ଟାରେ ରାଜସ୍ଥାନର ହନୁମାନଗଡ଼ ଜିଲାର ଗୋଗାମେଡି ମନ୍ଦିରକୁ ପ୍ରାର୍ଥନା କରିବାକୁ ବାହାରିଥିଲେ। ଗ୍ରାମର ପ୍ରାୟ ୬୦ ଜଣ ଭକ୍ତ ଟ୍ରାକ୍ଟର ଟ୍ରଲିରେ ଯାତ୍ରା କରୁଥିଲେ।
ଯେତେବେଳେ ଟ୍ରାକ୍ଟର ଟ୍ରଲିଟି ବୁଲନ୍ଦସହରର ଆର୍ନିଆ ଥାନା ଅଞ୍ଚଳରେ ଅବସ୍ଥିତ ଘାଟଲ ଗାଁ ନିକଟରେ ପହଞ୍ଚିଲା, ସେତେବେଳେ ଏକ ଦ୍ରୁତ ଗତିର ଆସୁଥିବା କଣ୍ଟେନର ଟ୍ରଲିକୁ ପଛରୁ ଧକ୍କା ଦେଇଥିଲା। ଟ୍ରଲିରେ ଯାତ୍ରା କରୁଥିବା ସମସ୍ତ ଭକ୍ତ ଏଣେତେଣେ ପଡ଼ିଯାଇଥିଲେ। ଦୁର୍ଘଟଣାର ସୂଚନା ପାଇ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଗାଡ଼ି, ଆମ୍ବୁଲାନ୍ସ ଏବଂ ପଥଚାରୀଙ୍କ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Share