ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ, ୧୦ରୁ ଅଧିକ ଆହତ

ଲକ୍ଷ୍ନୌ,୨।୧୧: ଉତ୍ତରପ୍ରଦେଶର ବହରାଇଚରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ରବିବାର ବିଳମ୍ବିତ ରାତ୍ରରେ ପୟାଗପୁର ଥାନା ଅଞ୍ଚଳର ଶିବ ଦହା ମୋଡ଼ଠାରେ ୧୬ ଜଣଙ୍କୁ ନେଇ ଯାଉଥିବା ମହିନ୍ଦ୍ରା ଗାଡ଼ି ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେଇଥିଲା। ଯାତ୍ରୀମାନେ ଆମ୍ବେଡ଼କରନଗର ସ୍ଥିତ କିଛୌଛା ଶରିଫ୍‌ରୁ ଦର୍ଶନ କରି ଫେରୁଥିଲେ। ଯାତ୍ରୀମାନେ ଲକ୍ଷ୍ମୀପୁର ଖିରି ଜିଲାର ତିକୁନିଆ ଏବଂ ସିଙ୍ଗାହିର ବାସିନ୍ଦା ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଆମ୍ବୁଲାନ୍ସ୍‌ ବିଳମ୍ବରେ ପହଞ୍ଚିବାରୁ ଘଟଣାସ୍ଥଳରେ ଲୋକଙ୍କ ମୃତ୍ୟୁ ଘଟିଥିବା ଦେଖଣାହାରୀ ଅଭିଯୋଗ କରିଛନ୍ତି।