ହିନ୍ଦୋଳ,୨୪।୫: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ନିଜଗଡ଼ ଫରେଷ୍ଟର ମାନସ ଓରଫ ପ୍ରହ୍ଲାଦ ପ୍ରଧାନ ଶିକାରୀଙ୍କ ଗୁଳିମାଡ଼ରେ ମୃତ୍ୟୁବରଣ କରିଛନ୍ତି। ଶନିବାର ଭୋର ସମୟରେ ଏହି ଘଟଣା ଘଟିଛି। ବିଳମ୍ବିତ ରାତିରେ ତଣ୍ଟିଚିରା ଠାରେ ବନ୍ୟଜନ୍ତୁ ଶିକାରୀ କରି ଶିକାରୀମାନେ ମାଂସ ଭାଗ କରୁଥିବା ଖବର ପାଇ ଫରେଷ୍ଟର ପ୍ରହ୍ଲାଦ ବନ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଶିକାରୀଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । ଏହା ପରେ ଶିକାରୀମାନେ ତାଙ୍କୁ ଗୁଳିମାଡ଼ କରିଥିଲେ। ଗୁଳି ମାନସଙ୍କ ପେଟ ନାଭି ସ୍ଥଳରେ ବାଜି ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମାନସଙ୍କ ଘର କାମକ୍ଷାନଗର ଥାନା ଜିରିଡ଼ାମାଳି ଗ୍ରାମରେ ବୋଲି ଜଣାପଡିଛି। ବନବିଭାଗ ଓ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନୁଗୋଳସ୍ଥିତ ଆଞ୍ଚଳିକ ବନ ସଂରକ୍ଷକ ଓ ଢେଙ୍କାନାଳ ଜିଲା ବନଖଣ୍ଡ ଅଧିକାରୀ ଉପସ୍ଥିତ ରହିଛନ୍ତି ।