ଦିଗପହଣ୍ଡି,୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବର ମୁଣ୍ଡୁଳି ଗ୍ରାମ ରାସ୍ତାରେ ଗଜପତି ଜିଲା ଚନ୍ଦ୍ରଗିରି ରେଞ୍ଜର ରୂପକ କୁମାର ପ୍ରଧାନ, ଭୀଷ୍ମଗିରି ବନ ବିଭାଗ ସେକ୍ସନ ଫରେଷ୍ଟର ଦେବାଶିଷ ଶତପଥି,ଗିରିଜା ଶଙ୍କର ଦୋରା,ସରୋଜ ମଲ୍ଲିକ ଙ୍କ ନେତୃତ୍ୱରେ ବନ କର୍ମଚାରୀ ବୃନ୍ଦ ଅତର୍କିତ ଚଢାଉ କରି ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭ ଏଏଫ- ୫୬୫୮)କୁ ଜବତ କରିଛନ୍ତି।
ବନ କର୍ମଚାରୀ ବୃନ୍ଦ ପାଟ୍ରୋଲିଂ କରୁଥିବାବେଳେ ରାସ୍ତାରେ ଦ୍ରୁତଗତିରେ ଆସୁଥିବା କାଠ ବୋଝେଇ ଟ୍ରାକ୍ଟରକୁ ଅଟକାଇ ଖାନତଲାସ କରିଥିଲେ। ଟ୍ରାକ୍ଟର ଡ଼ାଲାରେ ବହୁ ପରିମାଣର କାଠ ଥିବା ଜଣାପଡିଥିଲା। କାଠ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ଦିଗପହଣ୍ଡି ଥାନା ଛଣମେରି ଗ୍ରାମର ଟ୍ରାକ୍ଟର ମାଲିକ ସିମାଞ୍ଚଳ ପାତ୍ର(୫୮) ଏବଂ ଭୀଷ୍ମ ଗିରି ଗ୍ରାମର ଏମ. ନିଳାଞ୍ଚଳ ପାତ୍ର(୩୦)ଙ୍କୁ ଗିରଫ କରି ଜବତ କାଠ ବୋଝେଇ ଟ୍ରାକ୍ଟରକୁ ପୋଡ଼ାମାରି ଗ୍ରାମସ୍ଥିତ ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ କାଠକୁ ମାପଚୁପ କରାଯିବା ପରେ ତାହା ୫୨.୪ ଘନଫୁଟ ହୋଇଥିବା ଜଣାପଡିଛି।ସୋମବାର ଉଭୟ ଅଭିଯୁକ୍ତଙ୍କୁ ବନବିଭାଗ ମାମଲା ନଂ.୯୫/୨୫-୨୬ ଅନୁଯାୟୀ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟକୁ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଜବତ କାଠର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।