ପାରାଗ୍ଲାଇଡିଂ, ପାରା ଲ୍ୟାଣ୍ଡିଂର ମଜା ନେଉଛନ୍ତି ପର୍ଯ୍ୟଟକ

କୋରାପୁଟ,୧ା୧(ଅମିତାଭ ବେହେରା):କୋରାପୁଟ ଜିଲା ସେମିଳିଗୁଡ଼ାର କୁନ୍ଦୁଲିରୁ କୋଟିଆ ଆଡ଼କୁ ଦେଓମାଳି ପର୍ବତ ରହିଛି। ସମୁଦ୍ର ପତ୍ତନଠାରୁ ୧୬୭୨ ମିଟର ଉଚ୍ଚତାରେ ଥିବା ଏହା ଓଡ଼ିଶାର ଉଚ୍ଚତମ ପର୍ବତ ଶୃଙ୍ଗ। ଏହାର ଜଳବାୟୁ ପରିବେଶପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପର୍ବତ ଉପରେ ୨୦୨୩ ଡିସେମ୍ବର ୨ରେ ନ୍ୟାଶନାଲ ଆଡଭେଞ୍ଚର ଫାଉଣ୍ଡେଶନ ସଂସ୍ଥା ପକ୍ଷରୁ ପଟ୍ଟାଙ୍ଗିର ପୂର୍ବତନ ବିଧାୟକ ପ୍ରତୀମ ପାଢ଼ୀଙ୍କ ଦ୍ୱାରା ପାରାଗ୍ଲାଇଡିଂ ଓ ପାରା ଲ୍ୟାଣ୍ଡିଂ ଭଳି ରୋମାଞ୍ଚକର କ୍ରୀଡ଼ାର ସଫଳ ପରୀକ୍ଷା କରାଯାଇଥିଲା। ସମ୍ପୃକ୍ତ ସଂସ୍ଥା ପର୍ଯ୍ୟଟକଙ୍କୁ ଏହି ସେବା ଯୋଗାଇ ଆସୁଛି। ଉଚ୍ଚତା ଅନୁସାରେ ପ୍ରତି ଘଣ୍ଟାକୁ ୫ ଶହରୁ ୮୦୦ ଟଙ୍କା ନିଆଯାଇଥାଏ। ସେନାର ଅବସରପ୍ରାପ୍ତ ଓ ପ୍ରଶିକ୍ଷିତ ଅଧିକାରୀଙ୍କ ଦ୍ୱାରା ସଂସ୍ଥା ପକ୍ଷରୁ ଜିଲା ପ୍ରଶାସନର ଅନୁମତି ନେଇ ଏହି ସେବା କେବଳ ପିକ୍‌ ସିଜନରେ ପର୍ଯ୍ୟଟକମାନଙ୍କୁ ଯୋଗାଇ ଦିଆଯାଉଥିବା ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି, ଯାହା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି। ବର୍ଷାଋତୁ ଜୁଲାଇରୁ ସେପ୍ଟେମ୍ବରକୁ ଛାଡ଼ିଦେଲେ ଅନ୍ୟ ୯ ମାସ ଏହି ସ୍ଥାନକୁ ପର୍ଯ୍ୟଟକ ଆସିପାରିବେ। ନଭେମ୍ବରରୁ ମାର୍ଚ୍ଚ ଯାଏ ଏଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ୨୦୨୨ରେ ଦେଓମାଳିକୁ ୩ ଲକ୍ଷ ୯୯ ହଜାର ୯୮୦ ଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ୬୭ ଜଣ ବିଦେଶୀ ଆସିଥିବା ଜଣାଯାଇଛି। ସେହିପରି ୨୦୨୩ରେ ୩ ଲକ୍ଷ ୯୫ ହଜାର ୭୧୦ ଦେଶୀ ପର୍ଯ୍ୟଟକ ଓ ୨୦୬ ବିଦେଶୀ ପର୍ଯ୍ୟଟକ ଏଠାକୁ ଆସିଥିବା ଜିଲା ପର୍ଯ୍ୟଟନ ଅଧିକାରୀ ତାଲିନା ପ୍ରଧାନ ସୂଚନା ଦେଇଛନ୍ତି। ୨୦୨୪ରେ କେତେଜଣ ପର୍ଯ୍ୟଟକ ଏଠାକୁ ଆସିଛନ୍ତି ସେ ନେଇ ବର୍ତ୍ତମାନ ସୁଦ୍ଧା ସର୍ଭେ କରାଯାଇପାରି ନାହିଁ। କିନ୍ତୁ ପୂର୍ବ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ ପର୍ଯ୍ୟଟକ ଆସିଥିବା ପର୍ଯ୍ୟଟନ ଅଧିକାରୀ କହିଛନ୍ତି। ପର୍ଯ୍ୟଟକମାନଙ୍କ ଏଠାରେ ରହିବା ପାଇଁ କୋରାପୁଟ ବନ ବିଭାଗ ପକ୍ଷରୁ ୧୦ କଟେଜ କରାଯାଇଛି। ୨୪ ଘଣ୍ଟା ପାଇଁ ଏହାର ମୂଲ୍ୟ ୬,୧୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଟଙ୍କାରେ ଜଳଖିଆ, ଲଞ୍ଚ,ଡିନର ଓ ସ୍ନାକ୍‌ସ ବ୍ୟବସ୍ଥା ରହିଛି। ସେହିପରି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଶତାଧିକ ତମ୍ବୁ ବ୍ୟବସ୍ଥା କରାଯାଇଛି। ୨୪ ଘଣ୍ଟା ତମ୍ବୁ ସହ ଟି, ସ୍ନାକ୍‌ସ, ପାଣି ବ୍ୟବସ୍ଥା ପାଇଁ ପର୍ଯ୍ୟଟକଙ୍କୁ ୧୨ ହଜାର ଟଙ୍କା ଦେୟ ଧାର୍ଯ୍ୟ ହୋଇଛି।
ନିକଟରେ ପରବ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କୋରାପୁଟ ଆସିଥିବାବେଳେ ଦେଓମାଳିରେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କୋରାପୁଟ ଗସ୍ତ ସମୟରେ ଦେଓମାଳି ପରିଦର୍ଶନକରି ଏଠାରେ ପ୍ରାକୃତିକ ପରିବେଶର ଏକ ହବ୍‌ କରିବା ନେଇ ରାଜ୍ୟ ସରକାର ଚିନ୍ତା କରୁଥିବା କହିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଦେଓମାଳିକୁ ଟ୍ରାକିଂ ପାଇଁ ଏକ ଉକ୍ତୃଷ୍ଟ ସ୍ଥାନ କରାଯିବା ଉପରେ ପର୍ଯ୍ୟଟକମାନଙ୍କୁ ଅଧିକ ପ୍ରୋତ୍ସାହନ ନିମନ୍ତେ ପରବରେ ପର୍ବତାରୋହଣ ପ୍ରତିଯୋଗିତା କରାଯାଇଥିଲା ବୋଲି ଜିଲାପାଳ ଭି. କୀର୍ତ୍ତିଭାସନ କହିଛନ୍ତି। ଏହାର ବିକାଶ ଓ ଏଥିରେ ସ୍ଥାନୀୟ ଯୁବତୀଯୁବକମାନଙ୍କୁ ନିଯୁକ୍ତି ଦେବା ସ୍ଥାନୀୟ ଅଞ୍ଚଳର ଏସ୍‌ଏଚ୍‌ଜି ମହିଳାଙ୍କୁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଥିବା ପଟ୍ଟାଙ୍ଗି ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ କହିଛନ୍ତି।