ଇନ୍ଦ୍ରାବତୀ ଉତ୍ପତ୍ତିସ୍ଥଳ ମର୍ଦ୍ଦିଗୁଡାରେ ପ୍ରଥମ ଥର ଆରମ୍ଭ ହେଲା ‘ପର୍ଯ୍ୟଟନ ମହୋତ୍ସବ ୨୦୨୫’

ଥୁଆମୂଳ ରାମପୁର,୫।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ମର୍ଦ୍ଦିଗୁଡା ଗ୍ରାମରେ ମଙ୍ଗଳବାର ଐତିହ୍ୟବାହୀ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତିସ୍ଥଳକୁ କେନ୍ଦ୍ର କରି ପ୍ରଥମ ଥର ଅନୁଷ୍ଠିତ ହୋଇଛି ‘ପର୍ଯ୍ୟଟନ ମହୋତ୍ସବ ୨୦୨୫’। ମା’ ଇନ୍ଦ୍ରାବତୀ ଯୁବକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ ସ୍ଥାନୀୟ ଲୋକଙ୍କୁ ପର୍ଯ୍ୟଟନ ସଚେତନତା ଦେବା ସହ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ପାଇଁ ମାର୍ଗ ଖୋଲିଛି।

ଇନ୍ଦ୍ରାବତୀ ନଦୀ ଗଙ୍ଗା, ଯମୁନା ଓ ସରସ୍ୱତୀର ତିନି ଅମୃତଧାରାରୁ ଉତ୍ପନ୍ନ ହୋଇ ନାଗାବଳୀ ଆଦି ଉପନଦୀକୁ ସଂଯୋଗ କରି ମୁଖିଗୁଡା ଜଳବିଦ୍ୟୁତ ପ୍ରକଳ୍ପରେ ପରିଣତ ହୋଇଛି। ଏହି ଜଳ କଳାହାଣ୍ଡିର ଲକ୍ଷ୍ମୀ ଭଣ୍ଡାର ଭାବେ ଖ୍ୟାତ ଧାନଚାଷକୁ ସମୃଦ୍ଧ କରିଥାଏ। ହେଲେ ଉତ୍ପତ୍ତିସ୍ଥଳର ପର୍ଯ୍ୟଟନ ସମ୍ଭାବନା ଏଯାବତ୍ ଅବ୍ୟବହୃତ ରହିଥିବାରୁ ଯୁବକମାନେ ଏହି ମହୋତ୍ସବ ଆୟୋଜନ କରି ସ୍ଥାନୀୟ ଲୋକଲୋଚନ ଆକର୍ଷଣ କରିଛନ୍ତି।

ଉତ୍ସବର ଶୁଭାରମ୍ଭ ଗ୍ରାମ୍ୟ ଦେବତା ବାବା ଖଣ୍ଡୁଆଳଙ୍କ ପୂଜାର୍ଚ୍ଚନା ସହ ଆରମ୍ଭ ହୋଇଥିଲା। ମା’ ଇନ୍ଦ୍ରାବତୀଙ୍କ ଜଳ ସଂଗ୍ରହ କରି କଳସ ପଦଯାତ୍ରା ମା’ ଠାକୁରାଣୀ ମନ୍ଦିର ହୋଇ ବାବା ନୀଳକଣ୍ଠେଶ୍ୱରଙ୍କ ପାଖରେ ଜଳାର୍ପଣ କରାଯାଇଥିଲା। ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟକ ପରିବେଷଣ ହୋଇ ଉତ୍ସବକୁ ରଙ୍ଗିନ କରିଥିଲା।

ସମ୍ମାନିତ ଅତିଥି ଭାବେ ବିଜେଡି କାର୍ଯ୍ୟକାରୀ ସଭାପତି ଫଟୁସିଂ ଭୋଇ, ଯୁବ ସଭାପତି ପ୍ରଦୀପ କୁମାର ନାଏକ, କଳାକାର-ଶିକ୍ଷକ ଯଦୁମଣି ସୁନାନୀ ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ବଳଭଦ୍ର ଜାନୀ ସଭାପତିତ୍ୱ କରିଥିବା ବେଳେ ସମିତି ସଭ୍ୟା ରାଣୀ ନାଏକ, କମିଟି ସଭାପତି ମହୋନ ମାଝୀ ଓ ସଚିବ ତରୁଣ ନାୟକ ଆୟୋଜନରେ ସହଯୋଗ କରିଥିଲେ।

ବେଶ୍ ଧୂମ୍‌ଧାମ୍‌ରେ ପାଳିତ ଏହି ମହୋତ୍ସବ କଳାହାଣ୍ଡିର ପର୍ଯ୍ୟଟନ ମାନଚିତ୍ରରେ ମର୍ଦ୍ଦିଗୁଡାକୁ ନୂଆ ପରିଚୟ ଦେଇଛି।

Share