ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ମନ୍ତବ୍ୟରୁ ବିରତ ରହିବାକୁ ନିର୍ଦ୍ଦେଶ: ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୫।୪: ସୁପ୍ରିମକୋର୍ଟ ଶୁକ୍ରବାର କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୀର ସାଭରକରଙ୍କ ବିଷୟରେ ଦିଆଯାଇଥିବା ମନ୍ତବ୍ୟ ପାଇଁ କଡ଼ା ଭର୍ତ୍ସନା କରିଛନ୍ତି। ଅଦାଲତ ଏହାକୁ “ଦାୟିତ୍ୱହୀନ” ମନ୍ତବ୍ୟ ବୋଲି ଅଭିହିତ କରି ରାହୁଲ ଗାନ୍ଧୀଙ୍କୁ ଭବିଷ୍ୟତରେ ଏଭଳି ବୟାନ ଦେବାରୁ ବିରତ ରହିବାକୁ ଚେତାବନୀ ଦେଇଛନ୍ତି। ଅଦାଲତ ଆହୁରି କହିଛନ୍ତି ଯେ ଏଭଳି ମନ୍ତବ୍ୟ ଜାରି ରହିଲେ ସେ ନିଜ ପକ୍ଷରୁ ମାମଲା ଗ୍ରହଣ କରିପାରନ୍ତି।

ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି ଯେ ସେ ବିଭିନ୍ନ ଜନସଭା ଏବଂ ବୟାନରେ ବୀର ସାଭରକରଙ୍କ ସ୍ୱାଧୀନତା ସଂଗ୍ରାମରେ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସାଭରକର ବ୍ରିଟିଶ ସରକାରଙ୍କୁ ଦୟାଯାଚନା ପତ୍ର ଲେଖିଥିଲେ ଏବଂ ସେମାନଙ୍କ ସହ ସହଯୋଗ କରିଥିଲେ।

ଏହି ବୟାନକୁ ନେଇ ସାଭରକରଙ୍କ ପରିବାର ଏବଂ ଅନେକ ରାଜନୈତିକ ଗୋଷ୍ଠୀ ଆପତ୍ତି ଉଠାଇଥିଲେ। ସାଭରକରଙ୍କ ନାତୁଣୀ ସତ୍ୟାକୀ ସାଭରକର ପୁଣେର ଏକ ଅଦାଲତରେ କହିଥିଲେ ଯେ ରାହୁଲଙ୍କ ମନ୍ତବ୍ୟର ସାଭରକରଙ୍କ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ସହ କୌଣସି ସମ୍ପର୍କ ନାହିଁ। ଏହା ବ୍ୟତୀତ, ସାଭରକରଙ୍କ ପରିବାର ରାହୁଲଙ୍କ ବିରୁଦ୍ଧରେ ମାନହାନି ମାମଲା ଦାୟର କରିଥିଲେ।

ଶୁକ୍ରବାର ଏକ ଶୁଣାଣି ସମୟରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ “ଅନୁଚିତ” ଏବଂ “ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅବମାନନା” ବୋଲି ଅଭିହିତ କରିଛନ୍ତି। ଅଦାଲତ କହିଛନ୍ତି, “ଆମେ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅବମାନନା କରିବାକୁ ଦେଇପାରିବୁ ନାହିଁ। ଏହା ଦେଶର ଇତିହାସ ଏବଂ ସମ୍ମାନର ପ୍ରଶ୍ନ।”

ଅଦାଲତ ରାହୁଲଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଭବିଷ୍ୟତରେ ଏଭଳି ମନ୍ତବ୍ୟ ଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଏହା ସହିତ, ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସାଭରକରଙ୍କ ଯୋଗଦାନ ଉପରେ ଐତିହାସିକ ତଥ୍ୟ ଆଧାରରେ ଆଲୋଚନା ହେବା ଉଚିତ, କିନ୍ତୁ ଏହା ଅବମାନନାକର ହେବା ଉଚିତ ନୁହେ।

ରାହୁଲ ଗାନ୍ଧୀ ପୂର୍ବରୁ କହିଛନ୍ତି ଯେ ସେ ସାଭରକରଙ୍କ ବିଷୟରେ ଐତିହାସିକ ତଥ୍ୟ ଆଧାରରେ ମନ୍ତବ୍ୟ ଦେଇଛନ୍ତି। ସେ ଅଦାଲତରେ ଏହା ମଧ୍ୟ ଅନୁରୋଧ କରିଥିଲେ ଯେ ଏହି ମାମଲାର ସମ୍ପୂର୍ଣ୍ଣ ତଦନ୍ତ କରାଯାଉ ଯାହା ଦ୍ୱାରା ଐତିହାସିକ ଦସ୍ତାବିଜ୍‌ଗୁଡ଼ିକ ସାମ୍ନାକୁ ଆସିପାରିବ। ତଥାପି, ସୁପ୍ରିମକୋର୍ଟଙ୍କ ଏହି ଚେତାବନୀ ପରେ ରାହୁଲ ଗାନ୍ଧୀ ବା ତାଙ୍କ ଦଳ ତରଫରୁ ତୁରନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ।

Share