Categories: ଗଞ୍ଜାମ

ନିଜେ ଶୃଙ୍ଖଳିତ ରହିବା ସହ ଅନ୍ୟକୁ ଶୃଙ୍ଖଳିତ କରିବା ପାଇଁ ନେଲେ ଶପଥ

ଭଞ୍ଜନଗର,୨୪ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ବୁଧବାର ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନିକ ଅଧିକାରୀ ବିଭାସ ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ। ଶାଖା ୨ ଅଧିକାରିଣୀ ସସ୍ମିତା ଦାସ ସଭାକୁ ସଂଯୋଜନା କରିଥିଲେ। ପ୍ରାଧ୍ୟାପକ ପ୍ରଶାନ୍ତ ରଥ, ଅଧ୍ୟାପକ ରଜତ କୁମାର ମିଶ୍ର, ପୁର୍ବତନ ଯୋଜନା ଅଧିକାରୀ ସନାତନ ବେହେରା, ସହ ଯୋଜନା ଅଧିକାରୀ ବୁଦ୍ଧିବନ୍ତ ବରିହା ସାଧନବ୍ୟକ୍ତି ଭାବେ ଯୋଗଦେଇ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ସଖା ୧ ଯୋଜନା ଅଧିକାରୀ ବି ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ର
ନିଜେ ଶୃଙ୍ଖଳିତ ରହିବା ସହ ଅନ୍ୟକୁ ଶୃଙ୍ଖଳିତ କରାଇବା ପାଇଁ ଶପଥ ନେଇଥିଲେ। ଶେଷରେ ଚାରାରୋପଣ ହୋଇଥିଲା।

ସୂଚନାଯୋଗ୍ୟ, ଶିକ୍ଷାରେ ସମାଜ ସେବାକୁ ଏକ ସ୍ବେଚ୍ଛାକୃତ କାର୍ଯ୍ୟ ଭାବେ ପ୍ରଚଳନ କରିବା ଲକ୍ଷ୍ୟ ନେଇ ୧୯୬୯ ସେପ୍ଟେମ୍ବର ୨୪ରେ ରାଷ୍ଟ୍ରୀୟ ସେବା ଯୋଜନାର ଶୁଭାରମ୍ଭ ହୋଇଥିଲା। ଗୋଷ୍ଠୀ ସେବା ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ବ୍ୟକ୍ତିତ୍ୱର ବିକାଶ ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ଯୋଜନାର ଆଦର୍ଶ ହେଉଛି ‘ମୋ ପାଇଁ ନୁହେଁ, ଆପଣଙ୍କ ପାଇଁ’ । ଛାତ୍ରୀଛାତ୍ର ନିଜକୁ ବୁଝିବା ସହ ଗୋଷ୍ଠୀ ସହ ସେମାନଙ୍କ ସମ୍ପର୍କକୁ ଜାଣିବା, ସମସ୍ୟାକୁ ଚିହ୍ନଟ କରିବା ଓ ତା’ର ସମାଧାନ କରିବା, ନେତୃତ୍ୱ ଓ ଗଣତାନ୍ତ୍ରିକ ଚିନ୍ତାଧାରା ସୃଷ୍ଟି କରିବା, ଜାତୀୟ ସଂହତି ଓ ସାମାଜିକ ଏକତା ପାଇଁ କାର୍ଯ୍ୟ କରିବା ଯୋଜନାର ମୂଳ ଲକ୍ଷ୍ୟ । ତେଣୁ ପ୍ରତିବର୍ଷ ସେପ୍ଟେମ୍ବର ୨୪ ତାରିଖକୁ ଜାତୀୟ ସେବା ଯୋଜନା ଦିବସ ଭାବେ ପାଳନ କରାଯାଇଥାଏ। ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଏହି ଯୋଜନାରେ ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଜାତୀୟ ସେବା ଯୋଜନା ପରିଚାଳିତ। ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଗୁଡ଼ିକ ପୂରଣ କରିବା ପାଇଁ ୨ଟି କାର୍ଯ୍ୟକ୍ରମ ରହିଛି ଯଥା ନିୟମିତ କାର୍ଯ୍ୟକ୍ରମ ଏବଂ ସ୍ବତନ୍ତ୍ର ସେବା ଶିବିର। ଏହିଭଳି ଚଳିତ ବର୍ଷ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଚାରାରୋପଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ତେଣୁ ବର୍ତ୍ତମାନ ଚାରାରୋପଣ କାର୍ଯ୍ୟ କିଛି ମହାବିଦ୍ୟାଳୟରେ ସରିଛି। ଆଉ କିଛି ମହାବିଦ୍ୟାଳୟରେ ବର୍ତ୍ତମାନ ଚାଲିଛି।

Share