ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGL) ଅନୁଯାୟୀ, ଭୂମିକମ୍ପ ୨୩୫ କିଲୋମିଟରରୁ ଅଧିକ ଗଭୀରତାରେ ହୋଇଥିଲା।
ଟୋଙ୍ଗା ୧୭୧ଟି ଦ୍ୱୀପପୁଞ୍ଜ ନେଇ ଗଠିତ ଏକ ଦ୍ୱୀପ ରାଷ୍ଟ୍ର। ଏହା ଅଷ୍ଟ୍ରେଲିଆର ପୂର୍ବ ଉପକୂଳରୁ ପ୍ରାୟ ୩,୫୦୦ କିଲୋମିଟର ଦୂରରେ ଅବସ୍ଥିତ। ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଦକ୍ଷିଣ ପ୍ରଶାନ୍ତ ମହାସାଗରର ନିଆଫୁ, ଟୋଙ୍ଗାରୁ ପ୍ରାୟ ୧୫୩ କିଲୋମିଟର ପଶ୍ଚିମରେ ଭୂମିକମ୍ପ ହୋଇଥିଲା। USGL ତଥ୍ୟ ଅନୁଯାୟୀ, ସ୍ଥାନୀୟ ସମୟ ୯:୩୭ରେ ଭୂମିକମ୍ପ ହୋଇଥିଲା।
ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମି ଚେତାବନୀ ଜାରି କରାଯାଇଛି। ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ର (PTWC) କହିଛି ଯେ ଭୂମିକମ୍ପ ଗଭୀର ଭୂତଳରେ ଉତ୍ପତ୍ତି ହୋଇଥିଲା। ଗୋଟିଏ ଦିନ ପୂର୍ବରୁ (ମାର୍ଚ୍ଚ ୨୩) ଟୋଙ୍ଗାର ହିହିଫୋରେ ୬.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁସାରେ, ଭୂମିକମ୍ପଟି ୭୯.୭ କିଲୋମିଟର ଗଭୀରତାରେ ଥିଲା।