ଆସନ୍ତାକାଲି ନୂଆଖାଇ ପର୍ବ: ଗ୍ରାମର ଇଷ୍ଟ ଦେବାଦେବୀଙ୍କୁ ଅଗ୍ର ପୂଜା ପାଇଁ କରାଯାଏ ଏମିତି ବିଧି…

କେସିଙ୍ଗା ୨୭।୮(ତୁମେଶ୍ବର ସାହୁ) : ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ ପର୍ବ ଆସନ୍ତା କାଲି ଗୁରୁବାର ପାଳନ କରାଯିବ। ସେଥିପାଇଁ ଗ୍ରାମର ଇଷ୍ଟ ଦେବାଦେବୀଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରିବା ପାଇଁ ଗ୍ରାମର ଦୁଇ ଜଣ ସେବକ ଗ୍ରାମର ମୁଖ୍ୟ ରାସ୍ତାରେ ଗ୍ରାମ ପରିକ୍ରମା କରି ପ୍ରତ୍ୟେକଙ୍କ ଘରୁ ଅରୁଆ ଚାଉଳ, ନଡ଼ିଆ, ଧୂପ କିଛି ଅର୍ଥ, ଇତ୍ୟାଦି ସଂଗ୍ରହ କରି ଥାଆନ୍ତି।
କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ବାଲସି ଗ୍ରାମରେ ବୁଧବାର ସକାଳେ ରୋଗୀବଟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମ ଦୁଇ ଜଣ ସେବକ ମାନେ ପୂଜାର୍ଚ୍ଚନା ପାଇଁ ପ୍ରତ୍ୟେକଙ୍କ ଘରୁ ପୂଜା ସାମଗ୍ରୀ ସଂଗ୍ରହ କରି ଗ୍ରାମର ଇଷ୍ଟ ଦେବୀ କନ୍ଦାର ଡୁଙ୍ଗର ଓ ଧରଣୀ ଦେବୀଙ୍କ ନିକଟରେ ପୂଜା କରିଥାନ୍ତି। ଏହି ଦୁଇ ଜଣ ସେବକ ପ୍ରତ୍ୟେକ ଘରୁ ସଂଗ୍ରହ କରିଥିବା ସାମଗ୍ରୀକୁ ଗ୍ରାମର ଶେଷ ମୁଣ୍ଡରେ ଥିବା ବେଦେନ ଗୁଡିରେ ପୂଜାର୍ଚ୍ଚନା କରି ଗ୍ରାମର ପ୍ରତ୍ୟେକ ଲୋକଙ୍କ ଦୁଃଖ କଷ୍ଟ ଓ ରୋଗ ଦୂରକରିବା ପାଇଁ ପୂଜାର୍ଚ୍ଚନା କରି ଥାଆନ୍ତି। ପୂର୍ବଦିନ ଅର୍ଥାତ୍‌ ଆସନ୍ତା ଗୁରୁବାର ଦିନ ଗ୍ରାମର ଇଷ୍ଟଦେବୀ ଧରଣୀ ଗୁଡି ଓ କନ୍ଦା ଡୁଙ୍ଗରରେ ସର୍ବ ପ୍ରଥମେ ପୂଜାର୍ଚ୍ଚନା କଲା ପରେ ଗ୍ରାମ ସମେତ ନୂଆ ଖାଇଥାଆନ୍ତି। ଆସନ୍ତାକାଲି ଗୁରୁବାର ପୂର୍ବାହ୍ନ ସାଢ଼େ ଦଶଟାରୁ ସାଢେ ଏଗାରଟା ମଧ୍ୟରେ ନବାନ୍ନ ଖାଇବା ପାଇଁ ଗ୍ରାମର ଜାନୀଙ୍କ ଠାରୁ ସୂଚନା ମିଳିଛି। ଏ ନେଇ ଗ୍ରାମର ପ୍ରତ୍ୟେକ ଘରେ ଘର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସଫା ସୁତୁରା କରିବା ସହ ନୂଆଖାଇ ପାଇଁ ଘରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ନୂଆ ବସ୍ତ୍ର ପାରିଧାନ କରି ବିଭିନ୍ନ ପ୍ରକାର ପିଠା ,ଖିରି, ପୁରି ,ନୂଆ ଚୁଡା,ଇତ୍ୟାଦି ବହୁ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ନୂଆ ଖାଇବା ପାଇଁ ସ୍ଥିର ହୋଇଛି।