ପାକିସ୍ତାନରେ ୪୦୦% ବଢ଼ିଲା ଟମାଟୋ ଦାମ୍, କିଲୋଗ୍ରାମ ୬୦୦ ଟଙ୍କା

ନୂଆଦିଲ୍ଲୀ,୨୪।୧୦: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ବନ୍ଦ ଯୋଗୁଁ ଉଭୟ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। ବିଶେଷ କରି, ପାକିସ୍ତାନରେ ଟମାଟୋ ଦର ୪୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଏବଂ କିଲୋଗ୍ରାମ ପ୍ରତି ପାଖାପାଖି ୬୦୦ ପାକିସ୍ତାନୀ ଟଙ୍କା ($୨.୧୩) ରେ ପହଞ୍ଚିଛି, ଯାହାକି ପାଞ୍ଚ ଗୁଣ ଅଧିକ।

ଉଭୟ ଦେଶ ମଧ୍ୟରେ ସଂଘର୍ଷ ଯୋଗୁଁ ଅକ୍ଟୋବର ୧୧ ତାରିଖରୁ ସମସ୍ତ ସୀମା ପଥ ବନ୍ଦ ରହିଛି। କାବୁଲରେ ଥିବା ପାକ-ଆଫଗାନ ବାଣିଜ୍ୟ ଚାମ୍ବରର ମୁଖ୍ୟ ଖାନ୍ ଜାନ୍ ଆଲୋକୋଜାୟ ଗୁରୁବାର ରଏଟର୍ସକୁ ସୂଚନା ଦେଇଛନ୍ତି ଯେ ସଂଘର୍ଷ ଆରମ୍ଭ ହେବା ଦିନଠାରୁ ସମସ୍ତ ବାଣିଜ୍ୟ ଏବଂ ଯାତାୟାତ ବନ୍ଦ ରହିଛି। ଏଥିଯୋଗୁଁ ପ୍ରତିଦିନ ଉଭୟ ପକ୍ଷ ପ୍ରାୟ $୧ ନିୟୁତ ଡଲାରର କ୍ଷତି ସହୁଛନ୍ତି। ଉଭୟ ଦେଶ ମଧ୍ୟରେ ବାର୍ଷିକ ୨.୩ ବିଲିୟନ ଡଲାରର ବାଣିଜ୍ୟ କାରବାର ହୋଇଥାଏ।

ସୀମା ବନ୍ଦ ହେବା କାରଣରୁ ବଜାରରେ ଟମାଟୋ, ସେଓ ଏବଂ ଅଙ୍ଗୁରର ଅଭାବ ଦେଖାଦେଇଛି। ଉଭୟ ପାର୍ଶ୍ୱରେ ପ୍ରାୟ ୫,୦୦୦ କଣ୍ଟେନର ସାମଗ୍ରୀ ଅଟକି ରହିଛି।

ପାକିସ୍ତାନ ଦାବି କରିଛି ଯେ ଆଫଗାନିସ୍ତାନ ସୀମାରେ ଥିବା ଉଗ୍ରବାଦୀଙ୍କୁ କାବୁଲ ନିୟନ୍ତ୍ରଣ କରୁନଥିବାରୁ ଏହି ସଂଘର୍ଷ ଆରମ୍ଭ ହୋଇଥିଲା, ଯାହାକୁ ତାଲିବାନ ଅସ୍ୱୀକାର କରିଛି। ଗତ ସପ୍ତାହରେ କାତାର ଓ ତୁର୍କୀର ମଧ୍ୟସ୍ଥତାରେ ଯୁଦ୍ଧବିରତି ପାଇଁ ସହମତି ହୋଇଥିଲେ ମଧ୍ୟ ସୀମା ବାଣିଜ୍ୟ ଏପର୍ଯ୍ୟନ୍ତ ବନ୍ଦ ରହିଛି। ପରବର୍ତ୍ତୀ ଆଲୋଚନା ଆସନ୍ତାକାଲି (ଅକ୍ଟୋବର ୨୫) ଇସ୍ତାନବୁଲରେ ହେବ।

Dharitri – Odisha’s No.1 Odia Daily

Share