The Olympic Rings logo is pictured in front of the headquarters of the International Olympic Committee (IOC) in Lausanne on March 18, 2020, as doubts increase over whether Tokyo can safely host the summer Games amid the spread of the COVID-19. - Olympic chiefs acknowledged on March 18, 2020 there was no "ideal" solution to staging the Tokyo Olympics amid a backlash from athletes as the deadly coronavirus pandemic swept the globe. The Tokyo Olympics are scheduled to run between July 24 and August 9, 2020. (Photo by Fabrice COFFRINI / AFP) (Photo by FABRICE COFFRINI/AFP via Getty Images)
ଟୋକିଓ,୨୫।୫(ଏପି): ଅଲିମ୍ପିକ୍ସ ଆୟୋଜନ ହେବାକୁ ଆଉ ପାଖାପାଖି ୨ମାସ ବାକିଥିବା ବେଳେ ଜାପାନ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ କରିଛି। ଏଥିପାଇଁ ଜାପାନ ମିଲିଟାରି ଡାକ୍ତର ଓ ନର୍ସମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଛି। ସୋମବାର ଟୋକିଓ ଓ ଓସାକାରେ ବୟସ୍କ ଲୋକଙ୍କୁ ଟିକା ଦିଆଯାଇଛି। କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଟିକାକରଣକୁ ତ୍ୱରାନ୍ବିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଜାପାନ ପ୍ରଧାନମନ୍ତ୍ରୀ ୟୋଶିହାଇଡ ସୁଗା ଟୋକିଓରେ ଅଲିମ୍ପିକ ଆୟୋଜନ କରିବାକୁ ବଦ୍ଧପରିକର ଅଛନ୍ତି। ମହାମାରୀ କାରଣରୁ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ସ୍ଥଗିତ ରଖାଯାଇଥିଲା। ଜୁଲାଇ ଶେଷ ସୁଦ୍ଧା ୩୬ ମିଲିୟନ ବୟସ୍କ ଲୋକଙ୍କର ଟିକାକରଣ ଶେଷ କରିବା ପାଇଁ ସରକାର ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି। ଯଦିଓ ଏହାର ସଫଳତା ନେଇ ଆଶଙ୍କା ପ୍ରକଟ କରାଯାଉଛି। ଜାପାନର ଅଧିକାଂଶ ନାଗରିକଙ୍କର ଟିକାକରଣ ହୋଇପାରି ନାହିଁ। ଅଲିମ୍ପିକ୍ସକୁ ବାତିଲ କରିବା ପାଇଁ ବିକ୍ଷୋଭ, ଆନ୍ଦୋଳନ ବଢିବାରେ ଲାଗିଛି। ଜୁଲାଇ ୨୩ରୁ ଅଲିମ୍ପିକ୍ସ ଆରମ୍ଭ ହେବ। ଏପ୍ରିଲ ଶେଷରୁ ଦେଶର ବିଭିନ୍ନ ସ୍ଥାନରେ ଷ୍ଟେଟ୍ ଅଫ୍ ଇମର୍ଜେନ୍ସି ଲାଗୁ କରାଯାଇଛି। ଦେଶର ୪୦ ପ୍ରତିଶତ ଲୋକ ବସବାସ କରୁଥିବା ରାଜଧାନୀ ଟୋକିଓ ସମେତ ଅନ୍ୟ ୯ଟି ଅଞ୍ଚଳରେ ଇମର୍ଜେନ୍ସି ଜାରି ରହିଛି ଓ ଏହାକୁ ଆହୁରି ବୃଦ୍ଧି କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ଏବେ ମଧ୍ୟ କରୋନ କେସ୍ ଯଥେଷ୍ଟ ଅଧିକ ରହିଛି। ତେଣୁ ଟିକାକରଣରେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ସୁଗା ଲକ୍ଷ୍ୟ ରଖିଛନ୍ତି। ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଆଥ୍ଲେଟଙ୍କର ଟିକାକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ଆଗକୁ ବିଭିନ୍ନ ଚ୍ୟାଲେଞ୍ଜ ଥିଲେ ମଧ୍ୟ ଟିକାକରଣ ଉପରେ ଜୋର ଦିଆଯିବ ବୋଲି ସେ କହିଛନ୍ତି। ଟୋକିଓରେ ଦିନକୁ ୧୦,୦୦୦ ଓ ଓସାକାରେ ୫,୦୦୦ ଲୋକଙ୍କୁ ଟିକା ଦିଆଯିବ। ଏହା ଆଗାମୀ ୩ ମାସ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଆବଶ୍ୟକ ପଡ଼ିଲେ ଜାପାନ ବିଦେଶରୁ ମଧ୍ୟ ଟିକା ମଗାଇବ। ଜାପାନରେ କେବଳ ୨ ପ୍ରତିଶତ ଲୋକଙ୍କର ଟିକାକରଣ ହୋଇଛି। ଫେବୃୟାରୀ ମଝିରେ ସ୍ବାସ୍ଥ୍ୟକର୍ମୀଙ୍କ ଟିକାକରଣ କରାଯାଇଥିଲା। ଯଦି ୮୦ରୁ ୯୦ ପ୍ରତିଶତ ଲୋକଙ୍କର ଟିକାକରଣ ହୋଇଯାଏ ତା’ହେଲେ ବିନା କୌଣସି ସମସ୍ୟାରେ ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ବୋଲି କୁହାଯାଇଛି। ଏହା ଅସମ୍ଭବ ମନେ ହେଉଥିଲେ ମଧ୍ୟ ପ୍ରାୟାସ ଜାରି ରହିବ ବୋଲି ସୁଗା କହିଛନ୍ତି।