ଟୋକନ ଅବଧି ସରିଲା, ଧାନ ବିକିବାକୁ ଚିନ୍ତାରେ ଚାଷୀ

ସଇଁତଲା,୧୭ା୧(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଧରବଗଡ଼ ପଞ୍ଚାୟତ ଅଞ୍ଚଳର ଚାଷୀମାନେ ଧାନ ବିକ୍ରୟ କରି ନ ପାରି ଚିନ୍ତାରେ ଅଛନ୍ତି। ଅଧିକାଂଶ ଚାଷୀଙ୍କୁ ମିଳିଥିବା ଟୋକନର ସମୟ ସୀମା ସରି ଯାଇଥିବାରୁ ଏପରି ସମସ୍ୟା ଦେଖାଦେଇଛି।
ସୂଚନା ଅନୁସାରେ, ଧରବଗଡ଼ ପଞ୍ଚାୟତରେ ଥିବା ମା’ ମାଣିକେଶ୍ୱରୀ ସ୍ବୟଂ ସହାୟକ ଗୋଷ୍ଠୀ ତରଫରୁ ଧାନ କିଣା ଚାଲିଛି। ଅନ୍ୟ କେତେଜଣ ଚାଷୀଙ୍କ ଟୋକନ ଥିବା ସତ୍ତ୍ୱେ ସେମାନେ ଧାନ ବିକ୍ରି କରିବାରୁ ବଞ୍ଚତ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିବା ଟାର୍ଗେଟ ସରିଯାଇଥିବାରୁ ଚାଷୀମାନେ ଧାନ ବିକି ନ ପାରି ମଣ୍ଡିରେ ରଖିଛନ୍ତି। ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀ କରିଥିବା ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ିରହିଛି। ଚାଷୀମାନେ ଶୀତ, କାକରକୁ ଭ୍ରୂକ୍ଷେପ ନ କରି ଧାନକୁ ରାତିସାରା ଜଗି ରହୁଛନ୍ତି। ଏ ସମ୍ପର୍କରେ ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଶୁଭ୍ରକେଶୀ ମେହେରଙ୍କୁ ପଚାରିବାରୁ ଧାନ କିଣିବାକୁ ଆମ ପାଖରେ ଟାର୍ଗେଟ ନ ଥିବାରୁ ଆମେ ଚାଷୀଙ୍କ ଧାନ କିଣି ପାରୁନାହୁଁ। ଯାହା ଫଳରେ ଚାଷୀ ଧାନ ବିକ୍ରୟ କରିପାରୁନାହାନ୍ତି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ବାରମ୍ବାର କହିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା କହିଛନ୍ତି। ଚାଷୀ ଦିବ୍ୟସିନୀ ଦାଣ୍ଡିଆ, ତୁଳସିନୀ ସିଂ ବାବୁ, ଫକୀର ସିଂ ବାବୁ, ସୁବଳ ପଣ୍ଡା, ସୁନୀଲ ବାରିକ, ଦୁର୍ଯ୍ୟୋଧନ କ୍ଷେତୀ, ପ୍ରଦ୍ୟୁମ୍ନ ଭୋଇ, ନରେନ୍ଦ୍ର ଭୋଇଙ୍କ ଭଳି ଚାଷୀମାନେ ତାଙ୍କ ଟୋକନର ଅବଧି ସରିଯାଇଥିବାରୁ ସେମାନେ ଧାନ କିଭଳି ବିକ୍ରୟ କରିବେ ସେ ନେଇ ଚିନ୍ତାରେ ରହୁଥିବା କହିଛନ୍ତି। ଏ ସମ୍ପର୍କରେ ସଇଁତଲା ଯୋଗାଣ ଅଧିକାରୀ ଚନ୍ଦ୍ରଶେଖର ନାହାକଙ୍କୁ ପଚାରିବାରେ ଟାର୍ଗେଟ ପ୍ରଦାନ କରିବାକୁ ଜିଲା ପ୍ରଶାସନକୁ ଅବଗତ କରାଯାଇଥିବା କହିଛନ୍ତି।