ଅତାବିରା, ୪।୧୨(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ୫ହଜାରରୁ ଉର୍ଦ୍ଧ୍ୱ ଚାଷୀ ପଞ୍ଜିକରଣରୁ ବାଦ ପଡିଥିଲେ l ସେଥିମଧ୍ୟରୁ ଅତାବିରା ବ୍ଲକ ଝିଲିମିଣ୍ଡା ମଣ୍ଡି ଅଞ୍ଚଳର ପାଞ୍ଚ ଶହରୁ ଉର୍ଦ୍ଧ୍ୱ ଚାଷୀ ପଞ୍ଜିକରଣରୁ ବାଦ ପଡ଼ିଥିଲେ l ପଞ୍ଜିକରଣ ଦାବିରେ ଗତ ଅଗଷ୍ଟ ମାସରୁ ଚାଷୀ ଆନ୍ଦୋଳନ ଜାରି ରଖିଥିଲେ l ତେବେ ଗତ କାଲି ସରକାର ବାଦ ପଡ଼ିଥିବା ଚାଷୀଙ୍କୁ ପଞ୍ଜିକରଣ କରି ଖରିଫ ଧାନ କିଣାବିକାରେ ସାମିଲ କରିବା ପାଇଁ ଟୋକନ ପ୍ରଦାନ କରିଛନ୍ତି l ଫଳରେ ଚାଷୀ ଆଶ୍ବସ୍ତି ଲାଭ କରି ଜାରି ରଖିଥିବା ଆନ୍ଦୋଳନରୁ ଓହରିଛନ୍ତି l ଆଜି ମଧ୍ୟାହ୍ନରେ ସ୍ଥାନୀୟ ଚାଷୀ ଏବଂ ଜିଲା ପ୍ରଶାସନ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା l ଆଲୋଚନାରେ ଆଗକୁ ଚାଷୀଙ୍କ ବିଭିନ୍ନ ସମସ୍ୟା କିଭଳି ଦୂର ହେବ ସେନେଇ ଅନେକ ପ୍ରସ୍ତାବ ଗୃହୀତ କରାଯାଇଛି। ଫଳରେ ପତ୍ରାପାଲିଠାରେ ଥିବା ଝିଲିମିଣ୍ଡା ପ୍ୟାକ୍ସ ଅଫିସରେ ଚାଷୀ ପକାଇଥିବା ତାଲା ଖୋଲିଛନ୍ତି ବରଗଡ଼ ଉପଜିଲାପାଳ ତଥା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ପ୍ରସନ୍ନ କୁମାର ପାଣ୍ଡେ ଏବଂ ବରଗଡ଼ ଢିଆର୍ସିଏସ୍ ଯୁଗଳ କିଶୋର ଦାଶ l ବନ୍ଦ ତାଲା ଖୋଲିବା ପରେ ଚାଷୀ ପ୍ରତିକ୍ରିୟା ରଖିଛନ୍ତି l ସେମାନଙ୍କ ଆନ୍ଦୋଳନକୁ ଆଖି ଆଗରେ ରଖି ସରକାର ସେମାନଙ୍କୁ ପଞ୍ଜିକରଣ କରିଥିବାରୁ ସ୍ଥାନୀୟ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସମେତ ରାଜ୍ୟ ସରକାରଙ୍କୁ ଚାଷୀ ଧନ୍ୟବାଦ ଜଣାଇଥିଲେ l