ବେଜିଂ: ଚାଇନାର ଗାନ୍ସୁ ପ୍ରଦେଶସ୍ଥିତ ଡୁନ୍ହୁଆଙ୍ଗ୍ ନାଇଟ୍ ମାର୍କେଟରେ ଥିବା ଏକ ନୂତନ ସାର୍ବଜନୀନ ଶୌଚାଳୟକୁ ନେଇ ସମ୍ପ୍ରତି ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। ସାଧାରଣତଃ ଲୋକମାନେ ଶୌଚାଳୟକୁ କେବଳ ଏକ ଆବଶ୍ୟକତା ବୋଲି ଭାବିଥାନ୍ତି। ତେବେ ଭାଇରାଲ ହେଉଥିବା ଶୌଚାଳୟଟିକୁ ଏପରି ଭାବରେ ଡିଜାଇନ୍ କରାଯାଇଛି, ଯାହା ସମ୍ପ୍ରତି ଏହାକୁ ଏକ ଟୁରିଷ୍ଟ ହଟ୍ସ୍ପଟ୍ରେ ପରିଣତ କରିଛି। ଏବେ ଏହି ଶୌଚାଳୟ ଡୁନ୍ହୁଆଙ୍ଗ୍ ପବ୍ଲିକ୍ ପିୟୋର୍ କଲ୍ଚରାଲ୍ ସ୍ପେସ୍ ନାମରେ ପ୍ରସିଦ୍ଧି ଲାଭ କରିଛି, ଯାହାକୁ ଦେଖିବାକୁ ଦୂର ଦୂରାନ୍ତରରୁ ଲୋକ ଆସୁଛନ୍ତି।
ମହଲା ବିଶିଷ୍ଟ ଏହି ସାର୍ବଜନୀନ ଶୌଚାଳୟରେ ଡୁନ୍ହୁଆଙ୍ଗ୍ର ସଂସ୍କୃତିକୁ ନେଇ ବିଭିନ୍ନ ଚିତ୍ର କଳା ପ୍ରଦର୍ଶିତ ହୋଇଛି। ଏହାର ପ୍ରତ୍ୟେକ କୋଣରେ କଳା ଏବଂ ଐତିହ୍ୟର ସ୍ପର୍ଶ ଅନୁଭବ କରିହେବ। ଏହି କାରଣରୁ ପର୍ଯ୍ୟଟକମାନେ ଏହାକୁ କେବଳ ଏକ ଶୌଚାଳୟ ନୁହେଁ ବରଂ ଏକ ସାଂସ୍କୃତିକ ସ୍ଥାନ ବୋଲି ବିବେଚନା କରୁଛନ୍ତି। ଏହି ଶୌଚାଳୟରେ ମା’ଶିଶୁ କୋଠରି, ଶିଶୁ ସୁରକ୍ଷା ଆସନ, ଅଟୋ କ୍ଲିନିଂ ସିଷ୍ଟମ ଏବଂ ବୟସ୍କ ଓ ଅକ୍ଷମଙ୍କ ପାଇଁ ସୁବିଧା ରହିଛି।