ଓ୍ବାଶିଂଟନ୍ ,୨୫ା୨: ଇରାନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ବିଶାଳ ସେନା ମୁତୟନ କରିଛି। ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧ ଜାହାଜ ଆବ୍ରାହମ ଲିଙ୍କନ୍ ସମେତ ବିଶ୍ୱର ସର୍ବବୃହତ୍ ଯୁଦ୍ଧ ଜାହାଜ ୟୁଏସ୍ଏସ୍ ଗେରାଲ୍ଡ ଆର୍ ଫୋର୍ଡ ମଧ୍ୟ ଇରାନ ଅଭିମୁଖେ ଯାତ୍ରା କରି ଭୂମଧ୍ୟସାଗର ଅତିକ୍ରମ କରିଛି। କିନ୍ତୁ ଦୁଇଟି କାରଣରୁ ୟୁଏସ୍ଏସ୍ ଗେରାଲ୍ଡ ଆର୍ ଫୋର୍ଡର ସୈନ୍ୟଙ୍କ ମନୋବଳ ଯେଭଳି ରହିଛି, ସେମାନେ ଇରାନ ବିରୋଧୀ ଯୁଦ୍ଧରେ କେତେଦୂର ନିଷ୍ଠା ସହ ଲଢ଼େଇ କରିପାରିବେ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏହି ବିଶାଳକାୟ ଯୁଦ୍ଧ ଜାହାଜରେ ଅନୂ୍ୟନ ୫ ହଜାରରୁ ଅଧିକ ସୈନ୍ୟ ମୁତୟନ ରହିଛନ୍ତି। ହେଲେ ଶୌଚ ପାଇଁ ଏହି ଜାହାଜର ଟଏଲେଟ୍ ବ୍ୟବସ୍ଥା ଏବେ ବଡ଼ ସମସ୍ୟାର କାରଣ ପାଲଟିଛି। ଏହି ଜାହାଜର ୬୫୦ ଟଏଲେଟ୍ କାର୍ଯ୍ୟ କରୁନାହିଁ। ଯେଉଁଥିପାଇଁ ଶୌଚ ହେବାକୁ ସୈନ୍ୟଙ୍କୁ ଅନେକ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ମରାମତି ଏବଂ ସମୟାନୁସାରେ ଦେଖାରଖା ଅଭାବରୁ ଏହାର ଅଧିକାଂଶ ଟଏଲେଟ୍ କାର୍ଯ୍ୟ କରୁନାହିଁ। ଏହି ସମସ୍ୟା ଦୂର କରିବାକୁ ଜାହାଜର ଟେକ୍ନିସିଆନ୍ମାନେ ଅହରହ କାର୍ଯ୍ୟ କରୁଛନ୍ତି। ଏହାସତ୍ତ୍ୱେ ନାବିକ ଏବଂ ଟେକ୍ନିସିଆନ୍ଙ୍କ ମଧ୍ୟରେ ପ୍ରତ୍ୟେକ ଦିନ କଳହ ଲାଗି ରହୁଛି।
ଅନ୍ୟପକ୍ଷରେ ୟୁଏସ୍ଏସ୍ ଗେରାଲ୍ଡ ଆର୍ ଫୋର୍ଡ ଦୀର୍ଘ ୮ ମାସ ଧରି ସମୁଦ୍ରରେ ଯାତ୍ରା କରୁଥିବାରୁ ଏଥିରେ ମୁତୟନ ହୋଇଥିବା ସୈନ୍ୟଙ୍କ ଉଦାସୀନତା ବଢ଼ିବାରେ ଲାଗିଛି। ୨୦୨୫ ଜୁନ୍ରୁ ଆମେରିକା ଛାଡିଥିବା ଏହି ଯୁଦ୍ଧ ଜାହାଜ ଗତ ଜାନୁଆରୀରେ ଭେନେଜୁଏଲା ଅପରେଶନ୍ରେ ବଡ଼ ଭୂମିକା ନିଭାଇଥିଲା। ଏହାପରେ ପୁଣି ସେମାନଙ୍କୁ ଇରାନ ଅଭିମୁଖେ ଯିବାକୁ ପଡ଼ିଛି। ଏହି ଜାହାଜର ସର୍ବାଧିକ ନାବିକ ୨୦ରୁ ୨୨ ବର୍ଷ ମଧ୍ୟରେ ହୋଇଥିବାରୁ ଦୀର୍ଘ ୮ ମାସ ଧରି ସେମାନେ ନିଜ ପରିବାରଠାରୁ ଦୂରରେ ରହି ମାନସିକ ସ୍ତରରେ ଭାରାକ୍ରାନ୍ତ ହୋଇପଡ଼ିଛନ୍ତି।