କାମରେ ଲାଗୁନି ‘ଆମ ଶୌଚାଳୟ’, ଅସୁବିଧା ଭୋଗୁଛନ୍ତି ଯାତ୍ରୀ

ଧର୍ମଶାଳା,୪।୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବସ୍‌ ରହଣି ସ୍ଥାନରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ରହିଥିବା ଶୌଚାଳୟ କାମରେ ଲାଗୁନି। ଏହା ଅପରିଷ୍କାର ଭାବେ ଅଳିଆ ଆବର୍ଜନା ହୋଇ ପଡ଼ିରହିଥିବା ବେଳେ ଏହାର ଦୁର୍ଗନ୍ଧ ଯୋଗୁ ପାଖରେ ଛିଡା ହେବା ସମ୍ଭବ ହୋଇ ପାରୁନାହିଁ। ଷୋହଳ ନମ୍ବର ଜାତୀୟ ରାଜପଥର ଜାରକା ବସ୍‌ ରହଣି ସ୍ଥାନଟି ସବୁ ସମୟରେ ଭିଡ ରହିଥାଏ। ସକାଳ ହେଲେ ସ୍କୁଲ କଲେଜ ଛାତ୍ରୀଛାତ୍ରମାନଙ୍କ ଠାରୁ ଆରମ୍ଭ କରି ମହିଳାମାନେ ବସ୍‌ରେ ନିଜ ଗନ୍ତବ୍ୟସ୍ଥଳକୁ ଯିବା ଆସିବା କରିଥାନ୍ତି। କିନ୍ତୁ ରହିଥିବା ଶୌଚାଳୟଟି ବ୍ୟବହାର ପାଇଁ ଅନୁପଯୋଗୀ କାରଣରୁ ମହିଳାମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ଶୌଚାଳୟ ଥାଇ କି ବି ଅପରିଷ୍କାର ଭାବେ ପଡିରହିଥିବା ବେଳେ କେହି ଏହା ଉପରେ ଦୃଷ୍ଟି ଦେଉନଥିବା ଘଟଣାକୁ ନିନ୍ଦା କରାଯାଇଛି। ସବୁ ଠାରୁ ବଡ କଥା ଏହାର ନିକଟରେ ଜାରକା ପୋଲିସ ଫାଣ୍ଡି ମଧ୍ୟ ରହିଛି। ପୂର୍ବରୁ ଅନେକ ବାର ଜାରକା ଫାଣ୍ଡି ଅଧିକାରୀ ଓ ସ୍ଥାନୀୟ ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା କିଶାନ ପଣ୍ଡାଙ୍କ ସହଯୋଗରେ ଏହାକୁ ସଫେଇ କରିବା ସହ ଏହାର ମରାମତି ମଧ୍ୟ କରିଥିବା ଦେଖିବାକୁ ମିଳୁଥିଲା। କିନ୍ତୁ କିଛି ଦିନ ହେବ ଏହା ରକ୍ଷଣା ବେକ୍ଷଣ ଅଭାବରୁ ଅତି ଖରାପ ହୋଇପଡ଼ିରହିଛି। ଏହା ଉପରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

Dharitri – Odisha’s No.1 Odia Daily

Share