Categories: ଅନୁଗୋଳ

ଜଙ୍ଗଲ ସୁରକ୍ଷା ଲାଗି ଏକାଠି

ବଇଣ୍ଡା, ୩୧।୧(ଡି.ଏନ୍‌.ଏ.) କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ୍‌ ଅଧୀନ ନୁନୁକାପଶି ଗ୍ରାମ୍ୟ ଜଙ୍ଗଲକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡ଼ିଛନ୍ତି ଅଞ୍ଚଳବାସୀ। ରବିବାର ସ୍ଥାନୀୟ ବାସିନ୍ଦା ଏକାଠି ହୋଇ ଜଙ୍ଗଲ ଚତୁଃପାର୍ଶ୍ୱରେ ଥିବା ବୁଦା ସଫା କରି ସୀମା ନିର୍ଦ୍ଧାରଣ କରିଛନ୍ତି। ତେବେ ଜଙ୍ଗଲ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
୧୯୯୦ରୁ ୨୫୦ ଏକରବିଶିଷ୍ଟ ନୁନୁକାପଶି ଗ୍ରାମ୍ୟ ଜଙ୍ଗଲକୁ ଗ୍ରାମବାସୀ ସୁରକ୍ଷା ଦେଇ ଆସୁଛନ୍ତି। ୨୦୦୮ରେ ବନ୍ୟ ସୁରକ୍ଷା ସମିତି ଗଠନ କରାଯାଇଛି। ତେବେ ଦୀର୍ଘ ୩୧ ବର୍ଷ ମଧ୍ୟରେ ବନ ବିଭାଗ ପକ୍ଷରୁ ବନୀକରଣ ଦିଗରେ ପଦକ୍ଷେପ ନିଆଯାଇନାହିଁ। ୨୦୦୯ରେ ଗ୍ରାମବାସୀଙ୍କ ଉଦ୍ୟମରେ ୮୦୦ ଚାରା ରୋପଣ କରାଯାଇଥିଲା। ଏବେ ସେସବୁ ବଡ଼ ହୋଇଗଲାଣି। କାଠ ମାଫିଆଙ୍କ କବଳରୁ ଜଙ୍ଗଲକୁ ସୁରକ୍ଷା ଦେବାକୁ ଦୈନିକ ଗ୍ରାମର ୨ଜଣ ପାଳି କରି ଜଗୁଛନ୍ତି। ଯେପରି କାଠ ଚାଲାଣ ନ ହେବ ସେଥିଲାଗି ଗୁରୁତ୍ୱ ଦିଆଯାଉଛି। ଗ୍ରାମ୍ୟ ଜଙ୍ଗଲ କ୍ଷେତ୍ରରେ କିଭଳି ବିକାଶ ହେବ ସେଥିଲାଗି ବହୁବାର ଜଙ୍ଗଲ ବିଭାଗକୁ ଦାବିପତ୍ର ମାଧ୍ୟମରେ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତେଣୁ ତୁରନ୍ତ ଜଙ୍ଗଲ ବିକାଶ ପାଇଁ ସରକାର ଅନୁଦାନ ରାଶି ଯୋଗାଇବା ସହିତ ଚାରା ରୋପଣ କରିବାକୁ ବନ୍ୟ ସୁରକ୍ଷା ସମିତି ସଭାପତି ରମେଶ କୁମାର ଘିୱାଲା, ସମ୍ପାଦକ ଦୋଳ ମହାଳିକ, ପଞ୍ଚାନନ ପ୍ରଧାନ, ସୁରେନ୍ଦ୍ର ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, ନାରାୟଣ ପ୍ରଧାନ, ଅନ୍ତର୍ଯ୍ୟାମୀ ଦେହୁରି, ପ୍ରସନ୍ନ ଭୋଇ, ରମେଶ ବେହେରା, ପ୍ରଦୀପ ସାହୁ, ଜିତେନ୍ଦ୍ର ଭୋଇ ପ୍ରମୁଖ ଦାବି କରିଛନ୍ତି। ଅନ୍ୟପଟେ ନୁନୁକାପଶି ଜଙ୍ଗଲ ପ୍ରତି ଦୃଷ୍ଟି ଦିଆଯିବ କହି ହଣ୍ଡପା ରେଞ୍ଜର ଚୈତନ୍ୟ ବେହେରା ପ୍ରସଙ୍ଗ ଏଡ଼ାଇ ଦେଇଥିଲେ।