ନୂଆଦିଲ୍ଲୀ,୬।୨: ଦିଲ୍ଲୀ ସମ୍ପର୍କରେ ଆଜିର ଚାଣକ୍ୟର ଏକଜିଟ ପୋଲ ମଧ୍ୟ ସାମ୍ନାକୁ ଆସିଛି, ଯାହା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିଦ ଉଡାଇଦେଇଛି। ଚାଣକ୍ୟର ଏକଜିଟ ପୋଲ ଅନୁଯାୟୀ, ଭାଜପା ୫୧ଟି ଆସନ ପାଇପାରେ। ଆଉ ଆମ ଆଦମୀ ପାର୍ଟିକୁ କେବଳ ୧୯ଟି ଆସନ ମିଳିପାରେ। କେବଳ ଏତିକି ନୁହେଁ, କଂଗ୍ରେସ କେବଳ ଗୋଟିଏରୁ ତିନୋଟି ଆସନ ପାଇବ ବୋଲି ଆଶା କରାଯାଉଛି। ଏହି ଏଜେନ୍ସି ୨୦୧୫ରେ ଏକ ସଠିକ ଭବିଷ୍ୟବାଣୀ କରିଥିଲା।
ଚାଣକ୍ୟର ଏକଜିଟ ପୋଲ ଅନୁଯାୟୀ, ଭାଜପାକୁ ୪୯% ଭୋଟ ମିଳୁଥିବା ଦେଖାଯାଉଛି, ଯେତେବେଳେ ଆମ ଆଦମୀ ପାର୍ଟିର ଭୋଟ ହାର ୫୩% ରୁ ୪୧%କୁ ହ୍ରାସ ପାଇପାରେ। କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳଗୁଡ଼ିକୁ ୧୦ ପ୍ରତିଶତ ଭୋଟ ମିଳିବ ବୋଲି ଆଶା କରାଯାଉଛି। ଆଜିର ଚାଣକ୍ୟ ଏକଜିଟ ପୋଲକୁ ବହୁତ ନିର୍ଭରଯୋଗ୍ୟ ବୋଲି ବିବେଚନା କରାଯାଉଛି। କାରଣ ଏହି ସଂସ୍ଥା ଦ୍ୱାରା ଏ ପର୍ଯ୍ୟନ୍ତ କରାଯାଇଥିବା ଅଧିକାଂଶ ସର୍ଭେ ସତ୍ୟ ପ୍ରମାଣିତ ହୋଇଛି। ପୂର୍ବରୁ ଆକ୍ସିସ ମାଇ ଇଣ୍ଡିଆ ମଧ୍ୟ ଏକ୍ଜିଟ ପୋଲ ପ୍ରକାଶ ପାଇଛି। ଯାହା ଅନୁସାରେ,ଭାଜପା ୪୫ରୁ ୫୫ ଆସନ , ଆମ ଆଦମୀ ପାର୍ଟି ୧୫ ରୁ ୨୦ ଆସନ ପାଇବ ବୋଲି ଆଶା କରାଯାଉଛି।
୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆକ୍ସିସ ମାଇ ଇଣ୍ଡିଆର ଏକ୍ଜିଟ ପୋଲ ବହୁତ ସଠିକ ଥିଲା। ଏହା ଆମ ଆଦମୀ ପାର୍ଟିକୁ ୫୯-୬୮ ଆସନ ମିଳିବା ନେଇ ଅନୁମାନ କରିଥିଲା ଏବଂ ଏଏପି ୬୨ ଆସନ ପାଇଥିଲା। ସେହିପରି ଭାଜପାକୁ ୨-୧୧ ଆସନ ଦିଆଯାଇଥିଲା ଏବଂ ଭାଜପାକୁ ୮ଟି ଆସନ ମିଳିଥିଲା। ସେଥିପାଇଁ ସମସ୍ତେ ଆକ୍ସିସ ମାଇ ଇଣ୍ଡିଆର ଏକଜିଟ ପୋଲ ଉପରେ ନଜର ରଖିଛନ୍ତି।
ସେହିପରି ୨୦୧୫ରେ ଟୁଡେଜ ଚାଣକ୍ୟ ଭବିଷ୍ୟବାଣୀ କରିଥିଲା ଯେ ଆମ ଆଦମୀ ପାର୍ଟି ୪୮ରୁ ଅଧିକ ଆସନ ପାଇବ ଏବଂ ଯେତେବେଳେ ଫଳାଫଳ ଆସିଲା, ଆମ ଆଦମୀ ପାର୍ଟି ଇତିହାସ ସୃଷ୍ଟି କରିଥିଲା। ଆପ ୬୭ଟି ଆସନ ଜିତି ପ୍ରଥମ ଥର ପାଇଁ ପୂର୍ଣ୍ଣ ବହୁମତ ସରକାର ଗଠନ କରିଥିଲା। ଭାଜପା କେବଳ ତିନୋଟି ଆସନରେ ସୀମିତ ହୋଇଗଲା।