Categories: ମେଟ୍ରୋ

ନୟାପଲ୍ଲୀରେ ଡ୍ରେନ୍‌ ନିର୍ମାଣ ପାଇଁ ଭୂମିପୂଜନ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ନୟାପଲ୍ଲୀ ୩୭ ନଂ. ୱାର୍ଡର ଶ୍ରୀରାମ ବିହାର ଆପାର୍ଟମେଣ୍ଟ ଭିତରେ ଡ୍ରେନ କାର୍ଯ୍ୟ ଭୂମିପୂଜନ କରିବା ସହ କାର୍ଯ୍ୟ ଆରମ୍ଭ ହୋଇଛି। ୟୁନିଟ-୮ ଓ ୩୯ ନଂ. ୱାର୍ଡର ବର୍ଷା ପାଣି ଏହି ଆପାର୍ଟମେଣ୍ଟ ମଧ୍ୟ ଭାଗରେ ପୁରୁଣା ଡ୍ରେନ ଦେଇ ପ୍ରବାହିତ ହୋଇଥାଏ। ଅନେକ ବର୍ଷ ଧରି ବର୍ଷାଦିନେ ଆପାର୍ଟମେଣ୍ଟ ପରିସର ଓ ପାର୍କିଂ ଅଞ୍ଚଳ ଜଳମଗ୍ନ ହେଉଥିଲା। ମେୟର ସୁଲୋଚନା ଦାସ ପୂର୍ବରୁ ସ୍ଥିତି ସମୀକ୍ଷା କରିଥିବାବେଳେ ମଙ୍ଗଳବାର ଏହାର ଭୂମିପୂଜନ କରିଛନ୍ତି। କର୍ପୋରେଟର ବନ୍ଦିତା ପାଲଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଡ୍ରେନ ନିର୍ମାଣ ପାଇଁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। କଲ୍ୟାଣ ମଣ୍ଡପ ପାଖରୁ ୧୨୦ ବାଟାଲିୟନ ଦେଇ ନୂତନ ଡ୍ରେନ କାମ ପୂର୍ତ୍ତ ବିଭାଗ ଆରମ୍ଭ କରିବ, ଯାହା ଦ୍ୱାରା ସମସ୍ତ ପାଣି ନୂଆସାହି ଭିତରକୁ ପ୍ରବେଶ କରିବ ନାହିଁ। ଆସନ୍ତା ୨ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅନ୍ୟ ଏକ ଡ୍ରେନ ଆଖଣ୍ଡଳମଣି ମନ୍ଦିର ପାଖରୁ ସୀତାପୁର ବସ୍ତି ଦେଇ ଡ୍ରେନ ନଂ.୧୦କୁ ଆଣିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ଏସି) ପକ୍ଷରୁ ଯୋଜନା କରାଯାଉଥିତ୍ବା ସୂଚନା ମିଳିଛି। ଏହାଦ୍ୱାରା ଆପାର୍ଟମେଣ୍ଟ ଭିତରକୁ ମାତ୍ରାଧିକ ଜଳ ପ୍ରବେଶ କରିବ ନାହିଁ ବୋଲି ଆଶା କରାଯାଉଛି। ନୟାପଲ୍ଲୀକୁ ପ୍ରବେଶ କରୁଥିବା ବାହ୍ୟଜଳକୁ ନିଷ୍କାସନ ନେଇ ମାଷ୍ଟରପ୍ଲାନ ପ୍ରସ୍ତୁତ କକରାଯାଉଛି।