ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ରହିବା ନିହାତି ଦରକାର। ନ ହେଲେ ଆମ ଶରୀର ଅଧିକାଂଶ ସମୟ ରୋଗାକ୍ରାନ୍ତ ରହିବାର ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ ରଖିବାର ଏକ ସହଜ ତଥା ସରଳ ଉପାୟ ରହିଛି। ଯଦି ଆପଣଙ୍କର ମାନସିକତା ଅଧିକାଂଶ ସମୟ ସକାରାତ୍ମକ ରହିଲା, ତେବେ ତାହାର ସୁପ୍ରଭାବ ରୋଗ ପ୍ରତିରୋଧକ ଶକ୍ତି ଉପରେ ପଡ଼ିଥାଏ। ଆଉ କେତୋଟି ବିଷୟ ପ୍ରତି ଯଦି ଜଣେ ସଚେତନ ରୁହନ୍ତି, ତେବେ ଏହା ମଧ୍ୟ ଦୃଢ଼ ରହିଥାଏ। ପ୍ରଥମ କଥା ହେଲା ସବୁବେଳେ ସୁଷମ ତଥା ଭିଟାମିନ୍ଯୁକ୍ତ ଖାଦ୍ୟ ଖାଆନ୍ତୁ। ଭାତ, ଡାଲି, କ୍ଷୀର, ଛେନା, ଚିନାବାଦାମ, ସୋୟାବିନ, ଶାଗ, ସବୁଜ ପନିପରିବା, ଫଳମୂଳ, ମାଛ, ମାଂସ ଏବଂ ଅଣ୍ଡା ଖାଆନ୍ତୁ। ଆଉ ଏକ କଥା ହେଲା ବ୍ୟାୟାମ। ଏହାକୁ ନିଜର ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରନ୍ତୁ। ସକାଳୁ ଅତିକମ୍ରେ ଅଧ ଘଣ୍ଟାଏ ଚାଲନ୍ତୁ।