ବିକଶିତ ରାଷ୍ଟ୍ର ହେବା ପାଇଁ ବର୍ଷକୁ ୮ ନିୟୁତ ନିଯୁକ୍ତି ସୃଷ୍ଟି ଆବଶ୍ୟକ: ସିଇଏ

ନୂଆଦିଲ୍ଲୀ,୨୨।୪: ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ କରିବାକୁ ହେଲେ ବର୍ଷକୁ ୮ ନିୟୁତ ହିସାବରେ ଅନୂ୍ୟନ ପରବର୍ତ୍ତୀ ୧୦ରୁ ୧୨ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ସୃଷ୍ଟି କରିବାକୁ ହେବ। ଏଥିସହିତ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଉତ୍ପାଦନ କ୍ଷେତ୍ରର ଶେୟାର ବଢ଼ାଇବାକୁ ପଡ଼ିବ ବୋଲି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଭି. ଅନନ୍ଥ ନାଗେଶ୍ୱରନ୍‌ ପ୍ରସ୍ତାବ ଦେଇଛନ୍ତି। ଆଗାମୀ ୧୦ରୁ ୨୦ ବର୍ଷ ପାଇଁ ବାହ୍ୟ ପରିବେଶ ଏତେଟା ଉଦାର ହେବ ନାହିଁ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଅନୂ୍ୟନ ୩୦ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୯୦ରୁ ଉଦ୍ୟମ ଆରମ୍ଭ ହେବା ଆବଶ୍ୟକ ଥିଲା। ବିକଶିତ ରାଷ୍ଟ୍ର ନିଜର ବିକାଶ ଯାତ୍ରାରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଭଳି କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ପ୍ରଯୁକ୍ତି ଓ ରୋବୋଟିକ୍‌ ଚ୍ୟାଲେଞ୍ଜଗୁଡ଼ିକର ସମ୍ମୁଖୀନ ହେବା ଉଚିତ ନୁହେଁ। ପ୍ରାରମ୍ଭିକ ସ୍ତରର ନିଯୁକ୍ତି କିମ୍ବା ନିମ୍ନ ସ୍ତରର ଆଇଟିଯୋଗ୍ୟ ସେବା ନିଯୁକ୍ତି ଛଡ଼ାଇ ନେବାରେ ଏଆଇର ବଡ଼ ଭୂମିକା ରହିପାରେ। ତେଣୁ ଶ୍ରମକୈନ୍ଦ୍ରିକ ନୀତି ଏବଂ ପ୍ରଯୁକ୍ତି ମଧ୍ୟରେ ଉପଯୁକ୍ତ ସନ୍ତୁଳନ ବାହାର କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସିଇଏ କହିଛନ୍ତି।