‘ଅମିତ ଶାହାଙ୍କ ମୁଣ୍ଡ କାଟି…’, ମହୁଆ ଦେଲେ ସାଂଘାତିକ ବୟାନ, ରାଜନୀତିରେ ହଇଚଇ

ନୂଆଦିଲ୍ଲୀ, ୨୯।୮: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେବା ପାଇଁ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ କୃଷ୍ଣନଗର କୋତୱାଲି ଥାନାରେ ଅଭିଯୋଗ କରାଯାଇଛି। ମଙ୍ଗଳବାର (୨୬ ଅଗଷ୍ଟ, ୨୦୨୫) ମହୁଆ ପଶ୍ଚିମବଙ୍ଗରେ ଅବୈଧ ଅନୁପ୍ରବେଶ ସମ୍ପର୍କରେ ଏପରି ଉତ୍ତର ଦେଇଥିଲେ, ଯାହା ଯୋଗୁଁ ସେ ପୁଣି ଥରେ ବିବାଦରେ ଘେରି ରହିଛନ୍ତି।

ଟିଏମସି ସାଂସଦ ମହୁଆ ମୋଇତ୍ରା କହିଛନ୍ତି, ସେ (ଅମିତ ଶାହା) କେବଳ ଅନୁପ୍ରବେଶକାରୀଙ୍କ ବିଷୟରେ କହୁଛନ୍ତି। ଭାରତୀୟ ସୀମାର ସୁରକ୍ଷା ଗୃହ ମନ୍ତ୍ରଣାଳୟର ଦାୟିତ୍ୱ। ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଲାରୁ କହିଥିଲେ ଯେ ଅନୁପ୍ରବେଶ ଘଟୁଛି ଯାହା ଯୋଗୁ ଜନସଂଖ୍ୟା ପରିବର୍ତ୍ତନ ହେଉଛି। ଏହି ସମୟରେ, ସ୍ବରାଷ୍ଟ୍ର ମନ୍ତ୍ରୀ ଆଗ ଧାଡିରେ ବସି ତାଳି ବଜାଇ ହସୁଥିଲେ। ଭାରତୀୟ ସୀମାକୁ ସୁରକ୍ଷା ଦେବା ପାଇଁ କେହି ନାହାନ୍ତି।

ତୃଣମୂଳ ସାଂସଦ କହିଛନ୍ତି, ଯଦି ପ୍ରତିଦିନ ଅନ୍ୟ ଦେଶର ଲୋକମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଅନୁପ୍ରବେଶ କରୁଛନ୍ତି ଏବଂ ଆମର ଜମି ଛଡ଼ାଇ ନେଉଛନ୍ତି, ତେବେ ପ୍ରଥମେ ଆପଣ ଅମିତ ଶାହାଙ୍କ ମୁଣ୍ଡ କାଟି ଟେବୁଲ ଉପରେ ରଖିଦେବା ଉଚିତ୍‌। ଯଦି ପ୍ରଧାନମନ୍ତ୍ରୀ ମୋଦି ନିଜେ କହୁଛନ୍ତି ଯେ ବାହାରୁ ଲୋକମାନେ ଆମର ମା’ ଭଉଣୀମାନଙ୍କୁ ଆଖି ଦେଖାଉଛନ୍ତି , ଆମର ଜମି ଛଡ଼ାଇ ନେଉଛନ୍ତି, ତେବେ ଏହା କାହାର ଦୋଷ? ଏହା ଆମର ନା ତୁମର ଦୋଷ? ଏଠାରେ ବିଏସଏଫ ଅଛି। ଆମେ ମଧ୍ୟ ସେମାନଙ୍କୁ ଭୟ କରୁଛୁ।”

ଗତ କିଛି ଦିନ ଧରି ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି। ଏ ସମ୍ପର୍କରେ ମହୁଆ ମୋଇତ୍ରା କହିଛନ୍ତି, ଗୋଟିଏ ସମୟରେ ବାଂଲାଦେଶ ଆମର ବନ୍ଧୁ ଦେଶ ଥିଲା, କିନ୍ତୁ ତୁମ ଯୋଗୁଁ ଗତ କିଛି ବର୍ଷ ମଧ୍ୟରେ ଏହି ପରିସ୍ଥିତି ବଦଳି ଯାଇଛି। ଅନ୍ୟପଟେ ଭାଜପା ନେତା ସନ୍ଦୀପ ମଜୁମଦାର ନାଦିଆ ଜିଲାରେ ଟିଏମସି ନେତା ମହୁଆ ମୋଇତ୍ରାଙ୍କ ବିରୋଧରେ ଅଭିଯୋଗ ଦାୟର କରିଛନ୍ତି।

Share
Tags: National