ପୁରୁଷୋତ୍ତମପୁର,୧୨।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଗତମାସ ୨୮ତାରିଖ ରାତିରେ ଟିକିନା ଓରଫ ଦୁଷ୍ମନ୍ତ ମହାପାତ୍ରଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଥିଲା। ଏହାକୁ ନେଇ ପୋଲିସ ମାମଲା ନଂ ୨୪୦/୨୫ ପ୍ରକାରେ ଦୁଇ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫକରି କୋର୍ଟ ଚାଲାଣ କରିଥିବା ଆଇଆଇସି ରାଜେଶ କୁମାର ନାୟକ କହିଛନ୍ତି। ଏହି ଯୁବକ ଦ୍ବୟ ହେଲେ ଶିକୁଳା ଲିଆଖିଆ ସାହିର ମନୋଜ ବେହେରା(୨୫) ଓ ସଞ୍ଜୟ ବେହେରା(୩୦)। ଏହି ହତ୍ୟାକାଣ୍ଡକୁ ନେଇ ଟିକିନାଙ୍କ ଭାଇ ସୁଶାନ୍ତ ମହାପାତ୍ର ଶିକୁଳା ସରପଞ୍ଚଙ୍କ ସମ୍ପର୍କୀୟ ଚାରିଜଣଙ୍କ ସମେତ ୯ଜଣଙ୍କ ନାମ ଉଲ୍ଲେଖ କରିବା ସହ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କର ମଧ୍ୟ ସମ୍ପୃକ୍ତି ରହିଥିବାର ନେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାଲାଗି ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନକରି ଜିଲାର ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଘଟଣାର ତଦନ୍ତ ଚଳାଇଛି। ମନୋଜ ଓ ସଞ୍ଜୟ କୌଶଳ କ୍ରମେ ଗ୍ରାମରୁ ଚମ୍ପଟ ମାରୁଥିବାବେଳେ ଏସଡିପିଓ ଡ.ଦୀପକ କୁମାର ମିଶ୍ର ଓ ଆଇଆଇସି ରାଜେଶକୁମାର ନାୟକ ସଦଳବଳେ ଯାଇ ଗ୍ରାମନିକଟରୁ ଗିରଫ କରିଛନ୍ତି। ଅନ୍ୟ ସମସ୍ତ ଅଭିଯୁକ୍ତମାନଙ୍କୁ ଅତିଶିଘ୍ର ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି।
ସୂଚନା ଯୋଗ୍ୟ, ଗ୍ରାମରେ ଟିକିନାଙ୍କ ରହିଥିବା ଜମିକୁ କିଛି ବ୍ୟକ୍ତି ଜବରଦଖଲ କରିନେଇଥିବାବେଳେ ଏହାକୁ ଉଚ୍ଛେଦ କରିବା ଘଟଣାକୁ ନେଇ ବିବାଦ ଲାଗି ରହିଥିଲା ଓ ଏହି କାରଣକୁ ନେଇ ହତ୍ୟା କାଣ୍ଡ ଘଟିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତମାନେ ଏଯାବତ ଫେରାର ଅଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣ ଗତ ଫେବୃଆରୀ ୨୮ ତାରିଖରେ ହାଇକୋର୍ଟଙ୍କ ଆଗୁଆ ଜାମିନ ପ୍ରକାରେ ଆସିଥିଲେ। ଜାମିନରେ ଆସିବା ପରେ ପୁଣି ଏଭଳି ହତ୍ୟାକାଣ୍ଡ ଭିଆଇଥିଲେ।