ମଧ୍ୟପ୍ରଦେଶରୁ ଏୟାରଲିଫ୍ଟ ହେଲା ବାଘୁଣୀ

ସେଓନି,୨୩ା୧୨: ମଧ୍ୟପ୍ରଦେଶର ସେଓନିସ୍ଥିତ ପେଞ୍ଚ ରିଜର୍ଭର ଏକ ବାଘୁଣୀ ୨୪ ଦିନ ପରେ ବନ ବିଭାଗ ଅଧିକାରୀଙ୍କ ହାତରେ ଧରାଦେଇଛି। ରବିବାର ଏହାକୁ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର ଯୋଗେ ରାଜସ୍ଥାନକୁ ସଫଳତାର ସହ ଏୟାରଲିଫ୍ଟ କରାଯାଇଛି। ସକାଳଠାରୁ ଅପରାହ୍ନ ପର୍ଯ୍ୟନ୍ତ ହାତୀମାନଙ୍କ ଦ୍ୱାରା ବାଘୁଣୀକୁ ଘେରାଯିବା ପରେ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ପରେ ଏକ ରେସ୍କ୍ୟୁ ଯାନରେ ତାକୁ ସୁକତ୍ରା ଏୟାରଷ୍ଟ୍ରିପ୍‌କୁ ନିଆଯାଇ ସେଠାରୁ ହେଲିକପ୍ଟର ଯୋଗେ ରାଜସ୍ଥାନର ବିଷଧାରୀ ଟାଇଗର ରିଜର୍ଭକୁ ସ୍ଥାନାନ୍ତର କରାଯାଇଛି। ଏହି ସ୍ଥାନାନ୍ତର ଯୋଗୁ ବିଷଧାରୀ ଟାଇଗର ରିଜର୍ଭରେ କେବଳ ବାଘବଂଶ ବଢ଼ିବ ନାହିଁ ବରଂ ଆନୁବଂଶିକ ବିବିଧତାକୁ ସୁଦୃଢ଼ କରିବ ବୋଲି ପେଞ୍ଚ ଟାଇଗର ରିଜର୍ଭର ଡେପୁଟି ଡାଇରେକ୍ଟର ରଜନୀଶ ସିଂ କହିଛନ୍ତି। ଏହି ଅଭିଯାନ ବନ୍ୟପ୍ରାଣୀ ବୈଜ୍ଞାନିକ ପରିଚାଳନା ଏବଂ ବୈଷୟିକ ଦକ୍ଷତାର ଉଦାହରଣ ବୋଲି ସେ କହିଛନ୍ତି।

 

Dharitri – The Largest & Most Trusted Odia Daily