ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା ଭିଡିଓ ଭାଇରାଲ ହେଉଛି। ଏହାକୁ ନେଇ ସୁନାବେଡ଼ା ଅଞ୍ଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି। ସୂଚନା ଅନୁଯାୟୀ ଛତିଶଗଡ଼ ଗରିଆବନ୍ଧ ଜିଲା ମେନପୁର ଥାନା ଓଏଡ ଗାଁର କେତେଜଣ ଲୋକ କୌଣସି କାମରେ ସୁନାବେଡା ଅଞ୍ଚଳକୁ ଆସିଥିଲେ। କାମସାରି ଶନିବାର ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ସେମାନେ ଏକ କାର୍ରେ ଓଏଡ ଗାଁକୁ ଫେରୁଥିଲେ। ଏହି ସମୟରେ ସୁନାବେଡାରୁ ଦାତୁନାମା ଗାଁ ମଧ୍ୟସ୍ଥ କେବଡି ଯୋର (ଆମ୍ବନାଳା) ନିକଟରେ ଏକ କଲରାପତରିଆ ବାଘ ରାସ୍ତା ଉପରେ ଥିବା ସେମାନେ ଦେଖିଥିଲେ। ଗାଡି ଲାଇଟ୍ ପଡିବାରୁ ବାଘ ଅଟକି ଯାଇ ପ୍ରାୟ ୧୦ ମିନିଟ ଧରି ଏଣେତେଣେ ଘୂରି ବୁଲିଥିଲା। ଗାଡି ଭିତରେ ଥିବା ଲୋକମାନେ ଭୟଭୀତ ହୋଇ ଚୁପ୍ଚାପ ବସିରହିଥିଲେ। ବାଘ ରାସ୍ତା ଛାଡି ଜଙ୍ଗଲକୁ ଚାଲିଯିବା ପରେ ସେମାନେ ଗାଡି ନେଇ ଚାଲିଯାଇଥିଲେ। ଏହି ଘଟଣା ଜାଣିବା ପରେ ସୁନାବେଡ଼ା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତାଟିକବାଟ ବନ୍ଦ କରି ରହୁଛନ୍ତି। ନିହାତି ଆବଶ୍ୟକ ଥିଲେ ହାତରେ ଠେଙ୍ଗାବାଡି ଧରି ବାହାରକୁ ଯାଉଛନ୍ତି। ଏ ସଂକ୍ରାନ୍ତରେ ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗ ଏସିଏଫ୍ ସଞ୍ଜୀବ ବନଗୋଳାଙ୍କୁ ପଚାରିବାରୁ ଅଭୟାରଣ୍ୟ ଭିତରେ କଲରାପତରିଆ ବାଘ ସଂଖ୍ୟା ବଢିବାରେ ଲାଗିଛି ା ଖାଦ୍ୟ ଅନ୍ବେଷଣରେ ସେମାନେ ସବୁବେଳେ ପଦାକୁ ଆସୁଛନ୍ତି। ଏଥିପ୍ରତି ସତର୍କ ରହିବାକୁ ଲୋକଙ୍କୁ ସଚେତନ କରୁଛୁ ବୋଲି କହିଥିଲେ।