ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ଆତଙ୍କ

ପାଟଣା,୩ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲରେ ବାଘ ଆତଙ୍କ ଦେଖାଯାଇଛି। ଗୁରୁବାର ଏକ ବିଦାରିତ ବାର୍‌ହାର ଗଳିତ ମୃତଦେହକୁ ବନ ବିଭାଗ ଠାବ କରିଛି। ବାଘ ଶିକାର କରିଥିବା କୁହାଯାଉଥିବା ବେଳେ ଘଟଣାସ୍ଥଳରେ ଏକ ଅଜଣା ବନ୍ୟପ୍ରାଣୀର ପାଦ ଚିହ୍ନ ପଟିଛି। ବନବିଭାଗ ପାଦ ଚିହ୍ନ ଉପରେ ପ୍ଲାଷ୍ଟର ପ୍ୟାରିସ ଦେଇଛି। ଚିହ୍ନର ସାମ୍ପୁଲ ପରୀକ୍ଷା ପରେ ବାର୍‌ହା ଶିକାର କରିଥିବା ବନ୍ୟପ୍ରାଣୀ ବାଘ କିମ୍ବା ଅନ୍ୟ କେଉଁ ପ୍ରାଣୀ ସ୍ପଷ୍ଟ ହେବ ବୋଲି ବନପାଳ ଚିତ୍ତରଞ୍ଜନ ପରିଡ଼ା କହିଛନ୍ତି।
ଅନୁଯାୟୀ, ବନ କର୍ମଚାରୀମାନେ ସମ୍ପୃକ୍ତ ଜଙ୍ଗଲରେ ଫାୟାର ଲାଇନ କାର୍ଯ୍ୟ କରୁଥିଲେ। ଏହି ସମୟରେ ଦୁର୍ଗନ୍ଧ ହେବାରୁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ। ପରେ ବନପାଳ ଚିତ୍ତରଞ୍ଜନ ପରିଡ଼ା, ଗାର୍ଡ ପ୍ରଯୁକ୍ତା ଜେନା ଓ ପାରାଷ୍ଟାଫ ଜଙ୍ଗଲରେ ଖୋଜାଖୋଜି କରିଥିଲେ। ରୋହିଣୀ ଦୁମା ଗାଁ ନିକଟବର୍ତ୍ତୀ ଅଟେଇ ସଂରକ୍ଷିତ ଜଙ୍ଗଲରୁ ଏକ ସନ୍ତସନ୍ତିଆ ଅଞ୍ଚଳ ଗଛ ମୂଳରେ ବିଦାରିତ ବାର୍‌ହାର ମୃତଦେହ ଠାବ କରିଥିଲେ। ବାଲି ଉପରେ ଏକ ବନ୍ୟପ୍ରାଣୀର ପାଦ ଚିହ୍ନ ଦେଖିଥିଲେ। ଏନେଇ ରେଞ୍ଜର ଘାସିନାଥ ପାତ୍ରଙ୍କୁ ପଚାରିବାରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଏକ ବନ୍ୟପ୍ରାଣୀ ବାର୍‌ହା ଶିକାର କରିଛି। ତାହା ବାଘ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ହୁଏତ ବାଘଟି ଶିମିଳିପାଳ ଅଭୟାରଣ୍ୟରୁ ଚାଲି ଆସି ଥାଇପାରେ। ଠାବ କରିବା ପାଇଁ ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ଜଙ୍ଗଲରେ ୧୦ଟି ଟ୍ରାପ୍‌ କ୍ୟାମେରା ଲଗାଯିବ ବୋଲି କହିଛନ୍ତି। ଏସିଏଫ୍‌ ଅଶୋକ ଦାସଙ୍କ ଉପସ୍ଥିତିରେ ଜଙ୍ଗଲରେ ଡ୍ରୋନ୍‌ କ୍ୟାମେରା ଛଡ଼ାଯାଇଥିଲା। ଘଟଣାସ୍ଥଳରେ ରେଞ୍ଜର ପାତ୍ର, ବନପାଳ ପରିଡ଼ା, ଗାର୍ଡ ପ୍ରଯୁକ୍ତା ଜେନା ଫାୟାର ଷ୍ଟାଫ ଓ ପାରା ଷ୍ଟାଫ ଜଗି ରହିଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁୟାରୀରେ ସୁନାଖମ୍ବ ଅଞ୍ଚଳରେ ୨ଟି ମଇଁଷିର ବିଦାରିତ ମୃତଦେହ ବନ ବିଭାଗ ଜବତ କରିଥିଲା।