ଗୋଲାପଡ଼ା ଜଙ୍ଗଲରେ ବାଘ ଆତଙ୍କ: ଟାର୍ଗେଟ୍‌ରେ ଗାଈ-ବାଛୁରୀ

ଭଞ୍ଜନଗର,୮/୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଗୋଲାପଡ଼ା ଜଙ୍ଗଲରେ ଗୁରୁବାର ରାତିରେ ହେଟା ବାଘ ଆକ୍ରମଣରେ ଗୋଟିଏ ଗାଈ ବାଛୁରୀ ଗୁରୁତର ଭାବେ ଆହତ ହୋଇଛି। ସେହିଭଳି ମୁଜାଗଡ ରେଞ୍ଜ ଦୁର୍ଗାପ୍ରସାଦ ଠାରେ କଲରାପତରିଆ ବାଘ ଆକ୍ରମଣରେ ଆଉ ଗୋଟିଏ ଗାଈ ବାଛୁରୀ ଆହତ ହୋଇଛି। ଉଭୟ ଘଟଣା ଶୁକ୍ରବାର ଜଣାପଡିଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଗତକାଲି ଦୁର୍ଗାପ୍ରସାଦର ଏକ ବାଛୁରୀ କଲରାପତରିଆ ବାଘ ଆକ୍ରମଣ କରିଥିଲା। କିନ୍ତୁ ବାଛୁରୀଟି ଆକ୍ରମଣରୁ ରକ୍ଷା ପାଇଯାଇଥିଲା। ଏଥିରେ ବାଛୁରୀ ଟି ସାମାନ୍ୟ ଆହତ ହୋଇଛି। ସେହିଭଳି ଗୋଲାପଡ଼ାର ସୁକୁଟା ଗୌଡ ଗତକାଲି ଗାଈ କୁହଁର ଧରି ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟାରେ ଗାଈ ଗୋରୁ ଧରି ଫେରିଥିଲେ। କିନ୍ତୁ ଗୋଟିଏ ବାଛୁରୀ ଫେରି ନ ଥିଲା। ଆଜି ସୁକୁଟା ଜଙ୍ଗଲକୁ ଯାଇ ଖୋଜା ଖୋଜି କରିବା ସମୟରେ ଆହତ ଅବସ୍ଥାରେ ବାଛୁରୀଟି ପଡ଼ି ରହିଥିବା ଦେଖିଥିଲେ। ଏହାପରେ ପ୍ରାଣୀ ବିଶେଷଜ୍ଞଙ୍କୁ ଡାକି ତାର ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ଗ୍ରାମବାସୀ ଏହା କଲରାପତରିଆ ବାଘର କାଣ୍ଡ ହୋଇଥିବା କହୁଛନ୍ତି। କିନ୍ତୁ ଡିଏଫଓ ହିମାଂଶୁ ଶେଖର ମହାନ୍ତି କହିଛନ୍ତି, ଗୋଲାପଡ଼ା ଘଟନାରେ ହେଟା ବାଘ ଜଡ଼ିତ ଥିବା ଆଶଙ୍କା କରାଯାଉଛି। ଦୁର୍ଗାପ୍ରସାଦ ଘଟଣାର ତଦନ୍ତ ଚାଲିଛି। ବିଭାଗୀୟ କର୍ମଚାରୀମାନଙ୍କୁ ଘଟଣା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।