ଦିଗପହଣ୍ଡିରେ ମାତିଛି ବାଘ ଆତଙ୍କ: ବନବିଭାଗର ତନାଘନା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ କେରାଣ୍ଡିମାଳ ସଂରକ୍ଷିତ ଜଙ୍ଗଲ ବି. ତୁରୁବୁଡିି ଫରେଷ୍ଟ ବିଟର ଖଜୁରୀପଲ୍ଲୀ ଗ୍ରାମରେ ବାଘ ଆତଙ୍କ ଲାଗି ରହିଛି।

ରବିବାର ଗ୍ରାମ ସଂଲଗ୍ନ ଚାଷ ଜମି ହିଡରେ କିଛି ଚାଷୀ ବାଘ ପାଦ ଚିହ୍ନ ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ଗ୍ରାମ ସମେତ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଲୋକେ ସମ୍ପୃକ୍ତ ଚାଷଜମି ହିଡରେ ପହଞ୍ଚି ବାଘ ପାଦ ଚିହ୍ନ ଦେଖିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଦିଗପହଣ୍ଡି ବନ ବିଭାଗ କାର୍ଯ୍ୟାଳୟକୁ ସୂଚନା ଦିଆଯିବା ପରେ ରେଞ୍ଜର ଦିବ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଫରେଷ୍ଟର ସନ୍ତୋଷ କୁମାର ବିଷୋୟୀରତ୍ନ, ବି. ତୁରୁବୁଡ଼ି ଫରେଷ୍ଟ ବିଟର ଫରେଷ୍ଟ ଗାର୍ଡ ଉର୍ମିଳା ବେହେରା ଏବଂ ୪ ପାରା ବନ କର୍ମଚାରୀ ପହଞ୍ଚି ବାଘ ପାଦ ଚିହ୍ନ ପଡ଼ିଥିବା କୁହାଯାଉଥିବା ଚାଷଜମି ହିଡକୁ ଯାଇଥିଲେ।

ପାଦ ଚିହ୍ନ ଅନ୍ୟ କୌଣସି ଜନ୍ତୁର। ବାଘର ନୁହେଁ ବୋଲି ଜଣାପଡିଥିଲା। ପରେ ବନ କର୍ମଚାରୀ ଗ୍ରାମବାସୀଙ୍କ ସହ ବିସ୍ତୁତ ଆଲୋଚନା କରିଥିଲେ। ଏହା ବାଘର ପାଦ ଚିହ୍ନ ନୁହେଁ । ତଥାପି ବନ କର୍ମଚାରୀ ଗୃହପାଳିତ ପ୍ରାଣୀଙ୍କୁ ରାତିରେ ବାହାରେ ନ ଛାଡି ଗୁହାଳରେ ବାନ୍ଧି ରଖିବା ସହ ଗ୍ରାମବାସୀ ସତର୍କ ରହିବାକୁ ପରାମର୍ଶ ଦେଇ ଫେରିଥିଲେ।

ଏନେଇ ଦିଗପହଣ୍ଡି ରେଞ୍ଜରଙ୍କୁ ପଚାରିବାରୁ ବାଘ ଆତଙ୍କ ଏକ ଗୁଜବ। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରାଯିବା ସହ ଅଯଥାରେ ଲୋକଙ୍କୁ ଭୟଭୀତ କରାଯାଉଛି ବୋଲି ସେ କହିଛନ୍ତି।