ନୂଆପଡ଼ାରେ ପୁଣି ବାଘ ଆତଙ୍କ: ୪ ଛେଳି ମାରିଖାଇଲା

ନୂଆପଡ଼ା,୨୫।୧ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ଶୁକ୍ରବାର ରାତିରେ ଏକ କଲରାପତରିଆ ବାଘ ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ସେକ୍ସନ ଚୂଳାଭାଟ ପଞ୍ଚାୟତ ଭାଲୁପାଣି ଗାଁର ପିତ ମାଝିଙ୍କ ଗୁହାଳରେ ପଶି ୪ ଛେଳିକୁ ମାରି ଖାଇଛି। ସୂଚନା ଅନୁସାରେ ପିତ ପାଳିଥିବା ଛେଳିଗୁଡିକୁ ଜଙ୍ଗଲରୁ ଚରାଇ ଆଣି ସନ୍ଧ୍ୟାରେ ଗୁହାଳରେ ବାନ୍ଧି ରଖିଥିଲେ। ରାତିରେ ପରିବାର ଲୋକେ ଖାଇ ଶୋଇ ପଡିବା ପରେ ପ୍ରାୟ ୧୨ଟା ସମୟରେ ନିକଟସ୍ଥ ରାଣୀମାଈ ଜଙ୍ଗଲରୁ ଏକ କଲରାପତରିଆ ବାଘ ଆସି ଗୁହାଳରେ ପଶିଥିଲା। ଏହି ସମୟରେ ଛେଳିଗୁଡିକ ଚିତ୍କାର କରିବାରୁ ପରିବାର ଲୋକେ ଉଠି ଗୁହାଳରେ ୪ ଛେଳିକୁ ବାଘ ମାରିଥିବା ଦେଖିଥିଲେ। ବାଘ ମାରିଥିବା ଛେଳି ମଧ୍ୟରୁ ୨ଟି ଗୁହାଳ ଭିତରେ ପଡିଥିବା ବେଳେ ଗୋଟିଏ ବାହାରେ ପଡିଥିଲା। ଅନ୍ୟ ଏକ ଛେଳିକୁ ଜଙ୍ଗଲ ଭିତରକୁ ଟାଣି ନେଇ ଖାଇଥିବା ଦେଖାଯାଇଥିଲା। ରାତିରେ ପରିବାର ଲୋକ ସମେତ ଗାଁ ଲୋକେ ଜଙ୍ଗଲକୁ ଟେକି ନେଇଥିବା ଛେଳିକୁ ଖୋଜିବା ପାଇଁ ଯାଇଥିବା ସମୟରେ ଗୋଟିଏ ବାଘକୁ ଦେଖିଥିଲେ। ସେମାନଙ୍କ କହିବା କଥା ଗୋଟିଏ ନୁହେଁ ଦୁଇଟି ବାଘ ଅଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ବାଘର ଗତିବିଧି ଉପରେ ନଜର ରଖିଛନ୍ତି। ଜଙ୍ଗଲ ତଳି ଗାଁକୁ ଯାଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରୁଛନ୍ତି। କୌଣସି ଜରୁରୀ କାମ ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଗଲେ ଦଳବଦ୍ଧ ହୋଇ ହାତରେ ଠେଙ୍ଗାବାଡି ଧରି ଯାଆନ୍ତୁ ବୋଲି ଲୋକଙ୍କୁ ବୁଝାଉଛନ୍ତି ା ଧରମବନ୍ଧା ପ୍ରାଣୀ ସମ୍ପଦ ବିଭାଗ କର୍ମଚାରୀ ଭାଲୁପାଣି ଗାଁକୁ ଯାଇ ବାଘ ଖାଇଥିବା ମୃତ ଛେଳିଙ୍କ ବ୍ୟବଚ୍ଛେଦ କରି ମାଟିରେ ପୋତି ଦେଇଛନ୍ତି। ପିତ ଛେଳିମେଣ୍ଢା ପାଳି ପରିବାର ଚଳାଉଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily