Categories: Home Leftଖେଳ

ଆଜିଠାରୁ କାଉଣ୍ଟରରେ ଟିକେଟ ବିକ୍ରି: ରାତିରୁ ଲମ୍ବା ଲାଇନ୍‌

କଟକ,୫ା୨(କାର୍ତ୍ତିକ ସାହୁ): ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ବାରବାଟୀ ଦିନିକିଆ କ୍ରିକେଟ ମ୍ୟାଚ ଆଉ ମାତ୍ର ୪ଦିନ ପରେ। ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚତ୍ଲାଣି। ଅନଲାଇନ୍‌ରେ ଟିକଟ ବୁକିଂରୁ ନିରାଶ କ୍ରିକେଟପ୍ରେମୀ କାଉଣ୍ଟରରେ ଟିକେଟ କରିବାକୁ ଷ୍ଟାଡିୟମ ପାଖରେ ଏବେଠୁ ଭିଡ଼ ଜମାଇଲେଣି। ବୁଧବାର ଅଫ୍‌ଲାଇନ ଟିକଟ ବିକ୍ରି ଆରମ୍ଭ ହେବ। ଆଗ ଟିକେଟ କିଣିବା ପାଇଁ ନାହିଁ ନ ଥିବା ଉତ୍ସାହ। ଷ୍ଟାଡିୟମ ନିକଟ ରାସ୍ତାକୁ ଲାଗି ୪ଟି କାଉଣ୍ଟରରେ ଟିକେଟ ବିକ୍ରି ବ୍ୟବସ୍ଥା ହୋଇଛି। ଯେପରି କୌଣସି ପ୍ରକାର ବିଶୃଙ୍ଖଳା ନ ଉପୁଜେ ସେଥିପାଇଁ ବ୍ୟାରିକେଡ୍‌ ବନ୍ଧା ଯାଇଛି। ସକାଳ ୯ଟାରେ କାଉଣ୍ଟର ଖୋଲିବ। ଷ୍ଟାଡିୟମର ସମସ୍ତ ଗ୍ୟାଲେରୀ ସମେତ ଅନ୍ୟାନ୍ୟ ପ୍ରାୟ ୧୨,୦୦୦ ଟିକେଟ କାଉଣ୍ଟରରେ ବିକ୍ରି ହେବ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ଷ୍ଟାଡିୟମର ହର୍ସଗେଟ୍‌ ନିକଟ କାଉଣ୍ଟରରେ ସ୍ପେଶାଲ ଏନକ୍ଲୋଜର, ଏସି ବକ୍ସ, କର୍ପୋରେଟ ବକ୍ସ, ନ୍ୟୁ ପାଭିଲିୟନ ଆଦି ଟିକଟ ବିକ୍ରି କରାଯିବ। ଉଭୟ ପୁରୁଷ ଏବଂ ମହିଳା ଗୋଟିଏ ଧାଡ଼ିରେ ଏହି କାଉଣ୍ଟରରୁ ଟିକେଟ କିଣିବେ। ବାସ୍କେଟବଲ ଗ୍ରାଉଣ୍ଡ ନିକଟ ୧୩ ନମ୍ବର ଫାଟକ ନିକଟରେ ୩ଟି କାଉଣ୍ଟର ଖୋଲିବ। ଏହି କାଉଣ୍ଟରଗୁଡ଼ିକରେ କେବଳ ଗ୍ୟାଲେରୀ ଟିକେଟ ବିକ୍ରି ହେବ। ଏଠାରେ ଗୋଟିଏ କାଉଣ୍ଟର ସ୍ବତନ୍ତ୍ର ଭାବେ ମହିଳା ଏବଂ ଅନ୍ୟ ଦୁଇଟି ପୁରୁଷଙ୍କ ପାଇଁ କରାଯାଇଛି। ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ କିଣି ପାରିବ। ଟିକେଟ କିଣିବା ନିମନ୍ତେ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ଓସିଏ ଏକାଡେମୀ ନିକଟରେ ଏବଂ ଉପର ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା ହୋଇଛି। ଟିକେଟକ୍ରେତାଙ୍କ ନିମନ୍ତେ ଓସିଏ ପକ୍ଷରୁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛ, ଯଥା ଏକାଡେମୀ ନିକଟରେ ବିଶ୍ରାମଗୃହ ଏବଂ ପାନୀୟଜଳ ଆଦିର ବ୍ୟବସ୍ଥା ହୋଇଛି।

Share