ନୂଆଦିଲ୍ଲୀ,୮।୧୧: ଭାରତୀୟ ରେଳବାଇ ଏବେ ଅନଲାଇନ ଟିକଟ ବୁକିଂ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି। ସକାଳ ସମୟରେ ଟିକଟ ବୁକିଂ ପାଇଁ ଆଧାର ଯାଞ୍ଚ (ଭେରିଫିକେସନ) ବାଧ୍ୟତାମୂଳକ କରାଯାଇଛି। ଏହା IRCTC ୱେବସାଇଟ କିମ୍ବା ମୋବାଇଲ ଆପ୍ ମାଧ୍ୟମରେ ଟିକଟ ବୁକିଂ ସମୟରେ କରିବାକୁ ପଡ଼ିବ।
ରେଳ ମନ୍ତ୍ରଣାଳୟର କହିବା ଅନୁଯାୟୀ, ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ଟିକଟ ବୁକିଂ ବ୍ୟବସ୍ଥାରେ ପାରଦର୍ଶିତା ଆଣିବା ଏବଂ ଦଲାଲ ଓ ବଲ୍କ ବୁକିଂ କରୁଥିବା ଲୋକଙ୍କୁ ରୋକିବା। ଅଧିକାରୀମାନେ କହିଛନ୍ତି ଯେ, ଏହି ପଦକ୍ଷେପ ପ୍ରକୃତ ଯାତ୍ରୀମାନଙ୍କୁ ଲାଭ ପହଞ୍ଚାଇବ ଏବଂ ଅନୈତିକ ଟିକଟ ବୁକିଂକୁ ବନ୍ଦ କରିବ।
ନୂଆ ନିୟମ ଅନୁଯାୟୀ, ଟିକଟ ବୁକିଂର ପ୍ରଥମ ଦିନ ସକାଳ ୮ଟାରୁ ୧୦ଟା ଯାଏ କେବଳ ସେହି ଉପଭୋକ୍ତାମାନେ ରିଜର୍ଭେସନ ଟିକଟ ବୁକ କରିପାରିବେ ଯାହାଙ୍କର IRCTC ଆକାଉଣ୍ଟ ଆଧାରରୁ ଯାଞ୍ଚ ହୋଇଛି। ଏହି ନିୟମ ୨୮ ଅକ୍ଟୋବର ୨୦୨୫ରୁ ଲାଗୁ ହୋଇସାରିଛି। ତଥାପି, PRS କାଉଣ୍ଟରରେ ଟିକଟ ବୁକିଂ ସମୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅଧିକୃତ ଏଜେଣ୍ଟମାନଙ୍କ ପାଇଁ ପୂର୍ବରୁ ଭଳି ଟିକଟ ବିକ୍ରି ଆରମ୍ଭର ପ୍ରଥମ ୧୦ ମିନିଟ ଯାଏ ବୁକିଂ ଉପରେ ରୋକ ଜାରି ରହିବ, ଯାହା ବଲ୍କ ବୁକିଂକୁ ରୋକିବ। ଏହା ପୂର୍ବରୁ ରେଳବାଇ ତତ୍କାଳ ଟିକଟ ବୁକିଂର ପ୍ରଥମ ୩୦ ମିନିଟ ପାଇଁ ଆଧାର ଯାଞ୍ଚ ବାଧ୍ୟତାମୂଳକ କରିଥିଲା। ସବୁ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଟିକଟ ବୁକିଂକୁ ନ୍ୟାୟପୂର୍ଣ୍ଣ ଏବଂ ପାରଦର୍ଶୀ କରିବା।
IRCTCରେ ଆଧାର ଯାଞ୍ଚ କିପରି କରିବେ?
-ଯାତ୍ରୀମାନେ ନିଜର ଆଧାରକୁ IRCTC ଆକାଉଣ୍ଟ ସହିତ ଯୋଡ଼ିବା ପାଇଁ ଏହି ସରଳ ପଦକ୍ଷେପଗୁଡ଼ିକ ଅନୁସରଣ କରନ୍ତୁ:www.irctc.co.inକୁ ଯାଆନ୍ତୁ ଏବଂ ନିଜ ଆକାଉଣ୍ଟ ଖୋଲନ୍ତୁ।
-My Accountରେ ଯାଇ Authenticate User ଉପରେ କ୍ଲିକ କରନ୍ତୁ।
-ନିଜର ଆଧାର ନମ୍ବର ଦିଅନ୍ତୁ ଏବଂ ନାମ, ଜନ୍ମତାରିଖ ଓ ଲିଙ୍ଗ ଯାଞ୍ଚ କରନ୍ତୁ। ଯଦି କୌଣସି ତଥ୍ୟ ଭୁଲ ଥାଏ, ତାହାକୁ ସୁଧାରନ୍ତୁ।
-Verify Details and Receive OTP ବାଛନ୍ତୁ। ଆପଣଙ୍କ ଆଧାର-ଲିଙ୍କଡ ମୋବାଇଲ୍ରେ OTP ଆସିବ।
-OTP ଦେଇ ଅନୁମତି ଦିଅନ୍ତୁ ଏବଂ ସବମିଟ କରନ୍ତୁ।
-ଯାଞ୍ଚ ସମ୍ପୂର୍ଣ୍ଣ ହେଲେ, ସ୍କ୍ରିନ୍ରେ ଦେଖାଯିବ ଯେ ଆପଣଙ୍କର ଆଧାର ସଫଳତାପୂର୍ବକ ଅଥେଣ୍ଟିକେଟ ହୋଇଛି।
ଏହି ନିୟମ ଯାତ୍ରୀମାନଙ୍କୁ ସୁବିଧା ଦେବା ସହିତ ଅନୈତିକ କାର୍ଯ୍ୟକଳାପକୁ ରୋକିବ ବୋଲି ରେଳ ବିଭାଗ ଆଶା କରୁଛି। ଯାତ୍ରୀମାନେ ଶୀଘ୍ର ଆଧାର ଯାଞ୍ଚ କରି ନିଜ ଆକାଉଣ୍ଟ ପ୍ରସ୍ତୁତ ରଖନ୍ତୁ।