ଥୁଆମୂଳ ରାମପୁର,୯।୧ (ଦୁର୍ଗା କୀର୍ତ୍ତି): ପ୍ରଶାସନିକ ଅବ୍ୟବସ୍ଥା ଓ ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ ମଧ୍ୟରେ ଥୁଆମୂଳ ରାମପୁରଠାରେ ଆୟୋଜିତ ୨୮ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ର ନୌକା ଓ ତୀର ଚାଳନା ପ୍ରତିଯୋଗିତା ଶୁକ୍ରବାର ଶେଷ ହୋଇଛି। ଇନ୍ଦ୍ରାବତୀ ଜଳଭଣ୍ଡାର କୂଳରେ ଉତ୍ସବର ମାହୋଲ ଥିବା ବେଳେ ପ୍ରଶାସନିକ ଦାୟିତ୍ୱହୀନତାକୁ ନେଇ ମଞ୍ଚ ଉପରେ ହିଁ ତୀବ୍ର ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, କ୍ଷୁବ୍ଧ ହୋଇ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ଅନେକ ଜନପ୍ରତିନିଧି ସଭା ଅଧାରୁ ମଞ୍ଚ ତ୍ୟାଗ କରିଥିଲେ।
ଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, CDO ଦୟାମୟ ପାଢ଼ୀ, ଜିଲା ସାଂସ୍କୃତିକ ଅଧିକାରୀ ବିବେକାନନ୍ଦ ମହାନନ୍ଦ, DIPRO ହଳଧର ନିଆଳ, ବ୍ଲକ ଅଧ୍ୟକ୍ଷା ଦୟାନିଧି ମାଝୀ, ସାଂସଦ ପ୍ରତିନିଧି ପବିତ୍ର ନାଏକ, ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀ, ଏଏଫଓ ପ୍ରୀତି ପ୍ରକାଶ ମହାନନ୍ଦ, WEO ସୁଭାଜିତ ରଞ୍ଜନ ସ୍ବାଇଁ, ଜିଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ସମାଜ କଲ୍ୟାଣ ଅଧିକାରୀ ମୁଜିମୁନ ନିଶା, PAITDA ପ୍ରଦ୍ୟୁମ୍ନ କୁମାର ଦାସ, ବିଜେପି ଯୁବ ନେତା ବିଷ୍ଣୁ ନାଏକ, ରାଧାକାନ୍ତ ନାଏକ, ପୁଷ୍ପ ନାଏକ ଏବଂ ବରିଷ୍ଠ ବିଜେଡି ନେତା ମାଣିକ୍ୟ ଚନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ଅଧ୍ୟାପକ ବବ୍ରୁ ବାହାନ ବୁଦ୍ଧିଆ ମଞ୍ଚ ପରିଚାଳନା କରିଥିବା ବେଳେ ମା’ ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ସ୍ବାଗତ ଭାଷଣ ଦେଇଥିଲେ।
ଇନ୍ଦ୍ରାବତୀ ଜଳଭଣ୍ଡାର ସ୍ଥିତ ସାନ ଛତ୍ରଙ୍ଗ ଡଙ୍ଗା ଘାଟ ନିକଟରେ ୭୫ ଜଣ ପ୍ରତିଯୋଗୀ ତୀର ଚାଳନାରେ ଭାଗ ନେଇଥିଲେ। ଏଥିରେ ବ୍ଲକ ଏଇଇ ସାଲକୋ ହେମ୍ବ୍ରମ ପ୍ରଥମ ସ୍ଥାନ ଅଧିକାର କରିଥିଲେ ହେଁ ପୁରସ୍କାର ରାଶି କୁମୁଡ଼ାସିଲ୍ର ରାଇତାଲି ମାଝୀଙ୍କୁ ପ୍ରଦାନ କରାଯାଇଥିଲା। ବୁଧୂ ମାଝୀ ଦ୍ୱିତୀୟ ଓ ସଦାସେବ ଛୁରିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ନୌକା ଚାଳନାରେ ସାନ ଛତ୍ରଙ୍ଗର ତ୍ରିନାଥ ମାଝୀ ଓ ଇନ୍ଦ୍ର ମାଝୀ ପ୍ରଥମ, ଡିଗ୍ରୀବନ୍ଧର ବୁଧୁ ଝୋଡିଆ ଓ ସୀମା ଖୋଡ଼ିଆ ଦ୍ୱିତୀୟ ଏବଂ କମଳାଗୁଡ଼ାର ସୁବାସ ମାଝୀ ଓ ଚକ୍ର ମାଝୀ ତୃତୀୟ ସ୍ଥାନ ହାସଲ କରି ଅତିଥିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। ଉତ୍ସବରେ ସାଧାରଣ ଲୋକଙ୍କ ପାଇଁ ପାନୀୟ ଜଳ ଓ ବସିବା ବ୍ୟବସ୍ଥା ନ ଥିବା ବେଳେ ଖାଦ୍ୟରେ ଚାଉଳ ପୋକ ଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ଥୁଆମୂଳ ରାମପୁର ବ୍ଲକରେ ଏହି ବୃହତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆୟୋଜକ କମିଟିରେ ସ୍ଥାନୀୟ ବ୍ଲକର ଜଣେ ହେଲେ ସଦସ୍ୟଙ୍କୁ ସାମିଲ ନ କରିବା ପ୍ରଶାସନର ଏକଚାଟିଆ ନୀତିକୁ ପ୍ରମାଣିତ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏହି କାରଣରୁ ମଞ୍ଚ ଉପରେ ଭାଜପା ନେତା ଓ ଆୟୋଜକଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଶେଷରେ ସ୍ଥାନୀୟ ଜନ ପ୍ରତିନିଧିମାନେ ମଞ୍ଚ ତ୍ୟାଗ କରି ସଭା ବର୍ଜନ କରିଥିଲେ। ତେବେ ଘଟଣା ସମ୍ପର୍କରେ PAITDA ପ୍ରଦ୍ୟୁମ୍ନ କୁମାର ଦାସଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କାର୍ଯ୍ୟକ୍ରମରେ କିଛି ତ୍ରୁଟି ହୋଇଥାଇପାରେ, ଯାହାକୁ ଆମେ ଆଗକୁ ସୁଧାରିବୁ (Rectify), କିନ୍ତୁ ମୋଟାମୋଟି ଭାବେ ସବୁ ଠିକ ଚାଲିଛି ଠିକ ଭାବରେ ସମ୍ପୂର୍ଣ୍ଣ ହେବ ସଫେଇ ଦେଇଥିଲେ।
Dharitri – Odisha’s No.1 Odia Daily