ରେଷ୍ଟୁରାଣ୍ଟରେ ବିକୁଥିଲେ ମଦ: ଧରାପଡ଼ିଲେ ୩ ମାଲିକ

ଭୁବନେଶ୍ୱର,୨।୨: ଅବକାରୀ ବିଭାଗ ପକ୍ଷରୁ ସୋମବାର ରାଜଧାନୀରେ ବଡ଼ ଧରଣର ଚଢାଉ କରାଯାଇଛି। ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ବିଭାଗ ସୋମବାର ୩ଜଣ ରେଷ୍ଟୁରାଣ୍ଟ ମାଲିକଙ୍କୁ ଗିରଫ କରିଛି। ସେମାନେ ହେଲେ କଟକ-ପୁରୀ ବାଇପାସ୍‌ ରୋଡରେ ଖୋଲିଥିବା ୨ଜଣ ରେଷ୍ଟୁରାଣ୍ଟ ମାଲିକଙ୍କ ସହ ଅନ୍ୟ ଜଣେ ପଟିଆ ଛକରେ ଖୋଲିଥିବା ରେଷ୍ଟୁରାଣ୍ଟ ମାଲିକ ବୋଲି ସୂଚନା ମିଳିଛି।

ବେଆଇନ ଭାବେ ରେଷ୍ଟୁରାଣ୍ଟରେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଅବକାରୀ ଟିମ୍‌ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏପରିକି ଚଢାଉ ବେଳେ ଗଚ୍ଛିତ ଥିବା ବିପୁଳ ପରିମାଣର ବେଆଇନ ମଦ ଜବତ କରାଯାଇଛି। ଏନେଇ ଅବକାରୀ ବିଭାଗ ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ବିନା ଲାଇସେନ୍ସରେ ବେଧଡ଼କ ଭାବେ ରେଷ୍ଟୁରାଣ୍ଟରେ ମଦ ବିକ୍ରି ହେଉଥିବା ଜଣାପଡିଛି।