ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ମାର୍ଚ୍ଚ ୨୮ରୁ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ ପ୍ରମୁଖ ଖେଳାଳି ଆହତ କାରଣରୁ ବାହାର ହୋଇଯାଇଛନ୍ତି। ଯାହାଫଳରେ ଚେନ୍ନାଇ ସୁପର କିଙ୍ଗସ (CSK), କୋଲକାତା ନାଇଟ ରାଇଡର୍ସ (KKR) ଏବଂ ରାଜସ୍ଥାନ ରୟାଲ୍ସ (RR) କୁ ଶକ୍ତ ଝଟ୍‌କା ଲାଗିଛି।
୧. ଚେନ୍ନାଇ ସୁପର କିଙ୍ଗସ (CSK):
ଚେନ୍ନାଇର ତାରକା ବୋଲର ନାଥନ ଏଲିସ (ମୂଲ୍ୟ ୨ କୋଟି)ହାମଷ୍ଟ୍ରିଙ୍ଗ ଆଘାତ ଯୋଗୁ ସମ୍ପୂର୍ଣ୍ଣ ସିଜନ୍‌ରୁ ବାହାର ହୋଇଛନ୍ତି। CSK ସିଇଓ କାଶୀ ବିଶ୍ୱନାଥନ ଏହି ସୂଚନା ଦେଇଛନ୍ତି। ଏଲସ୍‌ଙ୍କ ଅନୁପସ୍ଥିତି ଦଳର ବୋଲିଂ ବିଭାଗକୁ ଦୁର୍ବଳ କରିପାରେ।
୨. ରାଜସ୍ଥାନ ରୟାଲ୍ସ (RR):
ଇଂଲଣ୍ଡର ଷ୍ଟାର୍‌ ଅଲରାଉଣ୍ଡର ସାମ କରନ୍‌(ମୂଲ୍ୟ ୨.୪ କୋଟି) ମଧ୍ୟ ଏହି ସିଜନ୍‌ରେ ଖେଳିପାରିବେ ନାହିଁ। ଗ୍ରୋଇନ୍‌ ଇଞ୍ଜୁରି (Groin Injury) ଯୋଗୁ ସେ ଠିକ ସମୟରେ ସୁସ୍ଥ ହୋଇପାରିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଚେନ୍ନାଇରୁ ଟ୍ରେଡ ହୋଇ ରାଜସ୍ଥାନକୁ ଆସିଥିବା କରନ, ଦଳ ପାଇଁ ଗୋଟିଏ ବି ମ୍ୟାଚ୍‌ ଖେଳିବା ପୂର୍ବରୁ ବାହାର ହୋଇଯାଇଛନ୍ତି।
୩. କୋଲକାତା ନାଇଟ ରାଇଡର୍ସ (KKR):
ସବୁଠାରୁ ବଡ଼ ଝଟ୍‌କା KKR କୁ ଲାଗିଛି। ଦଳ ୧୮ କୋଟି ଟଙ୍କାରେ କିଣିଥିବା ଶ୍ରୀଲଙ୍କାର ଦ୍ରୁତ ବୋଲର ମତିଷା ପଥିରାନା ଫିଟନେସ ଟେଷ୍ଟରେ ଫେଲ ହୋଇଛନ୍ତି। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତାଙ୍କୁ ଖେଳିବା ପାଇଁ ଅନାପତ୍ତି ପ୍ରମାଣପତ୍ର (NoC) ଦେଇନାହିଁ। ଟି-୨୦ ବିଶ୍ୱକପ ସମୟରେ ସେ ଆହତ ହୋଇଥିଲେ।
ତେବେ ଏହି ତିନି ଖେଳାଳିଙ୍କ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ସଂଯୋଗ ରହିଛି। ଗତ ସିଜନ୍‌ରେ ତିନିଜଣ ଯାକ ଖେଳାଳି ଚେନ୍ନାଇ ସୁପର କିଙ୍ଗସ ସହିତ ଜଡ଼ିତ ଥିଲେ। ସାମ କରନ ଓ ପଥିରାନାଙ୍କୁ CSK ରିଲିଜ କରିଥିଲା।କେବଳ ନାଥନ ଏଲିସ ଏହି ସିଜନ୍‌ରେ CSK ସ୍କ୍ବାର୍ଡର ଅଂଶ ଥିଲେ।
ଏହା ବ୍ୟତୀତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଷ୍ଟାର୍‌ ବୋଲର  ଜୋଶ ହାଜେଲଉଡ ଏବଂ ହାଇଦ୍ରାବାଦ ନିଜ ଅଧିନାୟକ ପ୍ୟାଟ କମିନ୍ସଙ୍କ ବିନା ପ୍ରାରମ୍ଭିକ ମ୍ୟାଚ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଆହତ ସମସ୍ୟା ଏବେ ସମସ୍ତ ଟିମ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇ ଦେଇଛି।
Dharitri – Odisha’s No.1 Odia Daily

Share