ମାଲକାନଗିରି,୬।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ଅନାରାମ ଓ ମରିଙ୍ଗମଲ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଯବାନଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବ୍ୟାପକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ସୂଚନା ଅନୁଯାୟୀ ବିଜାପୁର ଜିଲାର ତରଲାଗୁଡ଼ା ଥାନା ଅଞ୍ଚଳ ଅନାରାମ ଓ ମରିଙ୍ଗମଲ ଜଙ୍ଗଲରେ ମାଓବାଦୀ ଦମନ ନିମନ୍ତେ ଯବାନଙ୍କ ପକ୍ଷରୁ କୋମ୍ବିଂ ଅପରେଶନ କରାଯାଉଥିଲା। ଏହି ସମୟରେ ଜଙ୍ଗଲ ମଧ୍ୟରେ ଲୁଚିରହିଥିବା ମାଓବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ।
ଯବାନମାନେ ଜଙ୍ଗଲକୁ ଘେରିଯାଇ ପାଲଟା ଆକ୍ରମଣ କରିଥିଲେ। ଯବାନଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଯବାନମାନେ ଫେରିବା ପରେ ନିହତ ୩ ମାଓବାଦୀଙ୍କ ପରିଚୟ ଓ ଅସ୍ତ୍ରଶସ୍ତ୍ର ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି ସୂଚନା ଦେଇଛନ୍ତି।
Dharitri – Odisha’s No.1 Odia Daily