ଦୁଇଟି ମାମଲାରେ ୩ ଗିରଫ: ବାପ ପୁଅ ସାମିଲ 

ରିଷିଡା,୨୧।୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ତି ଅଧିକାରୀ ଦୁଇଟି ପୃଥକପୃଥକ ମାମଲାରେ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ରିଷିଡା ଫାଣ୍ତି ଅଧୀନ ତେରେକେଲା ଗ୍ରାମର କୃତି ଧରୁଆଙ୍କ ପୁଅ ଭିକାରୀ ଧରୁଆଙ୍କ ବିରୋଧରେ ଏକ ଜାମିନ ବିହୀନ ଗିରଫ ପରୱାନା ଏନ୍‌ବି ଡବ୍ଲ୍ୟୁସିଟିନଂ.୩୧୦/୨୦୧୫,ଜାରି ହୋଇଥିଲା। ଫାଣ୍ଡି ଅଧିକାରୀ ମନୁଆ ବିଡିକାଙ୍କ ନେତୃତ୍ୱରେ ଏକ ଟିମ୍‌ ରବିବାର ଭିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ସେହିପରି ରବିବାର ଓଡ଼ିଆମୁଣ୍ଡା ଭାଟିର କର୍ମଚାରୀ ସନ୍ତୋଷ କୁମାର ପୌରକେଲା ଗ୍ରାମକୁ ଧାନ ଚାଷ ପାଇଁ ଶ୍ରମିକ ଖୋଜି ଯାଇଥିବାବେଳେ ସେହି ଗ୍ରାମର ପ୍ରେମାନିଧି ସାହୁ ଓ ତାଙ୍କ ପୁଅ ପରେଶ ସାହୁ ଗାଳିଗୁଲଜ,ମାଡପିଟ ତଥା ନଗଦ ଟଙ୍କା ଲୁଟପାଟ କରିଥିବା ଫାଣ୍ତିରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ଫାଣ୍ଡି ଅଧିକାରୀ ବିଡିକା ଦୁଇବାପ ପୁଅ ପ୍ରେମାନିଧି ଓ ପରେଶକୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି।
ପ୍ରକାଶ ଥାଉକି ଗତ ୨ ମାସତଳେ ବିଡିକା ରିଷିଡା ଫାଣ୍ଡି ଅଧିକାରୀ ଭାବେ ଯୋଗଦାନ କଲାପରଠୁ ବିଭିନ୍ନ ଅଭିଯୋଗକୁ ଗୁରୁତର ସହ ନେଇ ତତ୍କାଳ ଆକ୍ସନ ନେଉଥିବାରୁ ଅଞ୍ଚଳରେ ଅସାମାଜିକ ବ୍ୟକ୍ତି, ମାଫିଆ ତଥା ଗଣ୍ତଗୋଳକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।