ପାକିସ୍ତାନର Airstrikeରେ ଆଫଗାନିସ୍ତାନର ୩ କ୍ରିକେଟରଙ୍କ ମୃତ୍ୟୁ, ରାଗିଲେ ରଶିଦ

ଇସଲାମାବାଦ,୧୮।୧୦: ପାକିସ୍ତାନର ବିମାନ ଆକ୍ରମଣରେ ତିନି ଜଣ ଆଫଗାନିସ୍ତାନ କ୍ରିକେଟରଙ୍କ ସମେତ ଆଠ ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ସାତ ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣ ପକଟିକା ପ୍ରଦେଶର ଉରଗୁନ ଅଞ୍ଚଳରେ ଘଟିଛି, ଯେଉଁଠାରେ କ୍ରିକେଟର କବୀର, ସିବଗତୁଲ୍ଲା ଏବଂ ହାରୁନ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରୁ ଫେରିଥିଲେ। ଏହି ଘଟଣା ଆଫଗାନିସ୍ତାନକୁ ମର୍ମାହତ କରିଛି ଏବଂ ଦେଶ ଦୁଃଖ ଏବଂ କ୍ରୋଧରେ ଜଳୁଛି।
ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ACB) ଏହି ଘଟଣାକୁ ଦେଶର କ୍ରୀଡ଼ା ଜଗତ ପାଇଁ ଏକ ବଡ଼ କ୍ଷତି ବୋଲି ବର୍ଣ୍ଣନା କରିଛି। ବୋର୍ଡ କହିଛି ଯେ ପ୍ରାଣ ହରାଇଥିବା ଯୁବକମାନେ ଭବିଷ୍ୟତରେ ଦେଶ ପାଇଁ ଖେଳିବାର ସ୍ବପ୍ନ ଦେଖିଥିଲେ। ଖେଳାଳିଙ୍କ ମୃତ୍ୟୁ ପାଇଁ ACB ଗଭୀର ଶୋକ ପ୍ରକାଶ କରିଛି ଏବଂ ନଭେମ୍ବରରେ ପାକିସ୍ତାନ ବିପକ୍ଷ T20 ତ୍ରିକୋଣୀୟ ସିରିଜରୁ ପ୍ରତ୍ୟାହାର ଘୋଷଣା କରିଛି। ଏହି ସିରିଜ ଶ୍ରୀଲଙ୍କା, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିଲା।
ଆଫଗାନିସ୍ତାନର ଷ୍ଟାର କ୍ରିକେଟର ରଶିଦ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି ଯେ ନିର୍ଦ୍ଦୋଷ ନାଗରିକ ଏବଂ ଖେଳାଳିଙ୍କ ଉପରେ ଆକ୍ରମଣ ମାନବାଧିକାରର ଏକ ଗମ୍ଭୀର ଉଲ୍ଲଂଘନ। ରଶିଦ ଏହାକୁ ଏକ ବର୍ବର, ଅନୈତିକ ଏବଂ ଅମାନବୀୟ କାର୍ଯ୍ୟ ବୋଲି କହିଛନ୍ତି। ମୁଁ ମୋ ଦେଶ ଏବଂ ମୋ ଲୋକଙ୍କ ସହିତ ଠିଆ ହୋଇଛି। ‘ଆମର ଜାତୀୟ ମର୍ଯ୍ୟାଦା ସର୍ବୋପରି।’ ସେ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ପାକିସ୍ତାନରୁ ଓହରିଯିବା ନିଷ୍ପତ୍ତିକୁ ସମର୍ଥନ କରି ଏହାକୁ ଏକ ସମୟୋଚିତ ଏବଂ ସାହସିକ ପଦକ୍ଷେପ ବୋଲି କହିଥିଲେ।
ତିନି ଜଣ କ୍ରିକେଟରଙ୍କ ମୃତ୍ୟୁ ଆଫଗାନିସ୍ତାନ ଏବଂ ଅନ୍ତର୍ଜାତୀୟ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଗଲା। ଅନେକ ଖେଳାଳି ଆଫଗାନିସ୍ତାନ କ୍ରିକେଟ ପରିବାର ପ୍ରତି ନିଜର ସମବେଦନା ଜଣାଇ ଟୁଇଟ କରିଛନ୍ତି। ଏସିବି ଏହାର ପୋଷ୍ଟରେ ଲେଖିଛନ୍ତି ଯେ କବୀର, ସିବଘାତୁଲ୍ଲା ଏବଂ ହାରୁନ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଥିଲେ। ସେମାନଙ୍କ ଶହୀଦ ହେବା ଆଫଗାନିସ୍ତାନ କ୍ରିକେଟ ପାଇଁ ଏକ ଅପୂରଣୀୟ କ୍ଷତି।

 

Dharitri – Odisha’s No.1 Odia Daily