ଟୋଲପ୍ଲାଜା ଡକାୟତି ଲାଗି ଚାଲିଥିଲା ଯୋଜନା: ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

\ବୈଶିଙ୍ଗା,୨୪।୬(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ପଦ୍ମନାଭପୁର ଟୋଲପ୍ଲାଜାରେ ଡକାୟତି ଯୋଜନା କରୁଥିବା ବେଳେ ୩ ଜେଲ ଫେରନ୍ତା ଦୁର୍ବୃତ୍ତଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି।

ଥାନା ଅଧିକାରୀ ବାରିଣୀ ଦାସଙ୍କ ସୂଚନା ମୁତାବକ, ମୟୂରଭଞ୍ଜ ଜିଲା ପୋଲିସ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ନିର୍ଦ୍ଦେଶ କ୍ରମେ ରାତିକାଳୀନ ପାଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ନାକାବନ୍ଦି ଓ ଯାନବାହାନ ଯାଞ୍ଚ କରାଯାଛଉଛି। ଯାଞ୍ଚ ବେଳେ ୧୮ ନଂ ଜାତୀୟ ରାଜପଥର କେନ୍ଦୁଆ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଛଅଜଣ ସନ୍ଦିଗ୍ଧ ଡକାୟତି ଯୋଜନା କରୁଥିବା ନେଇ ପୋଲିସକୁ ଖବର ମିଳିଥିଲା।

ଏନେଇ ଏସ୍‌ଆଇ ବୋଇତ ବେହେରା, ଦେବାଶିଷ ମଣ୍ଡଳ, ଏଏସ୍‌ଆଇ ଶୁଭ୍ରାଂଶୁ ଶେଖର ରାଉଳଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ବିଳମ୍ବିତ ରାତିରେ ଚଢାଉ କରିଥିଲେ। ତେବେ ଘଟଣାସ୍ଥଳରୁ ୩ଜଣ ଚମ୍ପଟ ମାରିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗୋଡ଼ାଇ ପୋଲିସ ନିକଟସ୍ଥ ଜଙ୍ଗଲରୁ ଧରି ଥାନାକୁ ଆଣିଥିଲା।
ତଦନ୍ତ ବେଳେ ସେମାନେ ଅଳ୍ପଦୂରରେ ଥିବା ପଦ୍ମନାଭପୁର ଟୋଲପ୍ଲାଜା କାର୍ଯ୍ୟାଳୟରେ ଡକାୟତି ଓ ଲୁଟପାଟ ଯୋଜନା କରୁଥିବା ସ୍ବିକାର କରିଛନ୍ତି। ସେମାନଙ୍କ ନିକଟରୁ ଗୋଟିଏ ବାଇକ୍‌, ଗୋଟିଏ ଟାଟା ନେକ୍ସନ କାର୍‌, ତେଲେଙ୍ଗା କଟୁରୀ, ଲୁହା ଛଡ଼ ଓ ମୁହଁ ଢାଙ୍କିବା ପାଇଁ କଳା ମୁଖା ଜବତ କରାଯାଇଛି।

ଏହି ସଂକ୍ରାନ୍ତରେ ପୋଲିସ ଏକ ମାମଲା(ନଂ.୩୦୩/୨୫) ରୁଜୁ କରି ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତ କରଣ ପରିଡ଼ା(୨୮) ଓ ସମ୍ବିତ ବିଶ୍ବାଳ(୨୦)ଙ୍କ ଘର ବାଲେଶର ସହର ନିକଟସ୍ଥ ନଗରମ ଗ୍ରାମରେ ଏବଂ ଦେବୁ ଦାସ(୨୫)ଙ୍କ ଘର ବୈଶିଙ୍ଗା ନିକଟସ୍ଥ ଯୁଗପୁରା ଗ୍ରାମରେ। କରଣ ଓ ସମ୍ବିତଙ୍କ ନାମରେ ପୂର୍ବରୁ ବାଲେଶ୍ୱର ଜିଲାର ବିଭିନ୍ନ ଥାନାରେ ଡକାୟତି, ଲୁଟ, ରାହାଜାନୀ ଆଦି ମାମଲା ରହିଛି। କିଛି ଦିନ ହେଲା ଅଭିଯୁକ୍ତମାନେ ଜାମିନ ପାଇ ଜେଲରୁ ବାହାରି ଥିବା ପୋଲିସ ପକ୍ଷରୁ କୁହାଯାଇଛି।