ଇନଷ୍ଟାଗ୍ରାମରେ ଖଣ୍ଡା ବୁଲାଇ ଧମକ ଦେବା ପଡ଼ିଲା ମହଙ୍ଗା, ଶେଷରେ ମାମଲା ପହଞ୍ଚିଲା…

ଦିଗପହଣ୍ଡି,୧୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗ୍ରାମର ସୁଶାନ୍ତ ଗୌଡ଼ ଓରଫ ମହାଙ୍କୁଡ଼ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଶାନ୍ତ ତାଙ୍କ ଗାଁର କୌଣସି ୩ ବ୍ୟକ୍ତିଙ୍କୁ ହତ୍ୟା ଧମକ ଦେବା ସହ ଏକ ଖଣ୍ଡା ବୁଲାଇ ତାଙ୍କ ମୁଣ୍ଡ ନେବାକୁ କହି ନିଜର ଭିଡିଓ ଉତ୍ତୋଳନ କରିଥିଲେ। ଉକ୍ତ ଭିଡିଓକୁ ଇନଷ୍ଟାଗ୍ରାମରେ ଅପଲୋଡ଼ କରି ନିଜେ ଭାଇରାଲ କରିଥିଲେ। ଏହି ଭିଡିଓ ବହୁଳ ମାତ୍ରାରେ ପ୍ରସାରିତ ହେବା ପରେ ବ୍ରହ୍ମପୁର ଏସ୍‌ପି ଡ଼. ସର୍ବଣା ବିବେକ ଏମଙ୍କ ଦୃଷ୍ଟିକୁ ଆସିଥିଲା। ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଥାନା ଏସ୍‌ଆଇ ରାଜ କିଶୋର ପାତ୍ର ଏ ନେଇ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଆଇଆଇସି ଥାନା ମାମଲା ନଂ.୩୭୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏଏସଆଇ ମନୋଜ ସିଂ ଅଭିଯୁକ୍ତଙ୍କ ନିକଟରୁ ଖଣ୍ଡା ଓ ତାଙ୍କ ମୋବାଇଲ ଫୋନ ଜବତ କରିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।

 

Dharitri – The Largest & Most Trusted Odia Daily