ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର ହଜାର ସଂଖ୍ୟାରେ ଭକ୍ତ ବୁଡ ପକାଇଛନ୍ତି। ଏହା ସହ ପିତୃ ପୁରୁଷଙ୍କ ଲାଗି ଶ୍ରାଦ୍ଧ କରିବା ସହ ମୃତ ବ୍ୟକ୍ତିଙ୍କ ଅସ୍ଥି ବିସର୍ଜନ କରିଛନ୍ତି। ବୁଡପକାଇବା ଲାଗି ସୋମବାର ସନ୍ଧ୍ୟାରୁ ଭକ୍ତଙ୍କ ଭିଡ ଜମିଥିଲା। ସମଗ୍ର ପ୍ରତାପୁର ଗ୍ରାମ ଓ ଋଷିକୁଲ୍ୟା ନଦୀ ଲୋକାରଣ୍ୟ ହୋଇପଡିଥିଲା। ଏଠାରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବା ସହ ବୁଡ ପକାଇଲେ ଓ ମୃତ ବ୍ୟକ୍ତିଙ୍କ ଅସ୍ଥି ବିସର୍ଜନ କଲେ ପୂଣ୍ୟ ହୁଏ ଏବଂ ମୃତ ବ୍ୟକ୍ତିଙ୍କ ସ୍ବର୍ଗପ୍ରାପ୍ତି ହୁଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଏହି ବିଶ୍ବାସକୁ ନେଇ କେଉଁ ଆବାହନ କାଳରୁ ଚୈତ୍ରମାସର ତ୍ରୟୋଦଶୀ ତିଥିରେ ବାରୁଣୀ ସ୍ନାନ ହୋଇଆସୁଛି। ଭକ୍ତଙ୍କ ସୁବିଧା ଲାଗି ତୁମ୍ଭେଶ୍ବର ମନ୍ଦିର ପ୍ରଶାସନ ଓ ପ୍ରତାପୁର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବାବେଳେ ପୋଲିସ ଫୋର୍ସ ମୁତୟନ ରହି ଆଇନ ଶୃଙ୍ଖଳା ଓ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିଥିଲେ।