ଥିବାଙ୍କୁ ଦାୟିତ୍ୱ ନାହିଁ, ଡେପୁଟେଶନକୁ ଗୁରୁତ୍ୱ: ଭଞ୍ଜନଗର ଆରଡିରେ ମନ୍ଥର ଗତିରେ ଚାଲିଛି ଉନ୍ନୟନ କାର୍ଯ୍ୟ

ଭଞ୍ଜନଗର,୨୯।୧୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀଙ୍କ ଅଧିନରେ ଚାଲୁଥିବା ଅନେକ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଦାୟିତ୍ୱରେ ଥିବା ଅଧିକାରୀମାନେ ନିୟମିତ କାମଗୁଡିକ ତଦାରଖ କରୁନାହାନ୍ତି । ଅନ୍ୟପଟେ ଅଧିକାରୀ ଏବଂ ଠିକାଦାର ମଧ୍ୟରେ କେତେକ ସ୍ଥାନରେ ସମନ୍ବୟ ରହୁ ନ ଥିବା ଯୋଗୁ ଏହି ସମସ୍ୟା ଦେଖାଦେଇଛି। ପ୍ରକଳ୍ପ ଗୁଡ଼ିକ ବିଳମ୍ବ ହେବା ଦ୍ୱାରା ତାହାର ସୁଫଳ ଜନସାଧାରଣ ପାଇବାରେ ବିଳମ୍ବ ହେଉଛି। ଏହିଭଳି ଭଞ୍ଜନଗର ବ୍ଲକ ରେ ୨ ଜଣ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରୁଥିବାବେଳେ ସେମାନଙ୍କୁ ଗୁରୁତ୍ୱ ଦିଆଯାଉନାହିଁ। ଡେପୁଟେଶନରେ ଆସିଥିବା ଜଣେ ଯନ୍ତ୍ରୀଙ୍କୁ ଗୁରୁତ୍ୱ ଦେଇ ତାଙ୍କୁ ଅଧିକ କାମ ଦିଆଯାଉଛି। ଏଠାରେ ଦାୟିତ୍ୱରେ ଥିବା ଦୁଇ ଯନ୍ତ୍ରୀଙ୍କୁ ଗୁରୁତ୍ୱ ନ ଦେଇ ଡେପୁଟେଶନରେ ଆସିଥିବା ଯନ୍ତ୍ରୀଙ୍କୁ ଅଧିକ କାମ ଦାୟିତ୍ୱ ଦେବାକୁ ନେଇ ବିଭିନ୍ନ ଆଲୋଚନା ହେଉଛି।

ଅନ୍ୟପଟେ ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ ଠିକ ସମୟରେ ଖୋଲା ହେଉନଥିବା ଲକ୍ଷ୍ୟ କରାଯାଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହୋଇଛି। ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୮ ରୁ ଉର୍ଦ୍ଧ ବ୍ଲକ ରେ ଅନେକ ବଡ ବଡ ପ୍ରକଳ୍ପ କାମ ଚାଲିଛି। କିନ୍ତୁ ଦାୟିତ୍ୱରେ ଥିବା ଯନ୍ତ୍ରୀ ଏବଂ କର୍ମଚାରୀ ମାନେ ନିୟମିତ କାମ ଗୁଡିକ ତଦାରଖ କରିବାକୁ ଯାଉନାହାନ୍ତି। ଏହାଦ୍ବାରା ଠିକାଦାର ନିଜ ମନମୁତାବକ କାମ କରୁଛନ୍ତି। ଫଳରେ କାମ ଠିକ ଭାବେ ନ ହେବାର ସମ୍ଭାବନା ରହିଛି। ଏହିଭଳି ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ୫ ଶହ ମିଟର ଦୂରରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ଏକ ସରକାରୀ କୋଠା ନିର୍ମାଣ ହେଉଛି। କିନ୍ତୁ ବିଭାଗ ପକ୍ଷରୁ ଡିଜାଇନ ପ୍ରସ୍ତୁତିରେ ବିଳମ୍ବ ଯୋଗୁ କାମ ମଧ୍ୟ ବିଳମ୍ବରେ ଠିକାଦାର ଆରମ୍ଭ କରିଛନ୍ତି। ତେଣୁ ନିର୍ଦ୍ଧାରିତ ସମୟରେ ଉକ୍ତ ପ୍ରକଳ୍ପ କାର୍ଯ୍ୟ ସରିବା ନେଇ
ସନ୍ଦେହ ପ୍ରକାଶ ପାଇଛି। ସମନୟ ଅଭାବ ଯୋଗୁ ଅନେକ ପ୍ରକଳ୍ପ ଏହିଭଳି ମନ୍ଥର ଗତିରେ ଚାଲିଛି। ଏନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ କାମ ସବୁ ଠିକଠାକ ଚାଲିଛି। ଯନ୍ତ୍ରୀମାନେ ନିୟମିତ କାମ ଯାଞ୍ଚ କରୁଛନ୍ତି । ସମସ୍ତ ଯନ୍ତ୍ରୀଙ୍କୁ ଗୁରୁତ୍ୱ ଦେଇ କାମ କରିବା ବ୍ୟବସ୍ଥା ହୋଇଛି ।

 

Dharitri – Odisha’s No.1 Odia Daily