୨୦୨୫ରେ ଭାରତରେ ସର୍ବାଧିକ ଖୋଜାଯାଇଥିଲା ଏହି ସ୍ଥାନ, ଚମକାଇଲା ଗୁଗଲ୍‌ ରିପୋର୍ଟ

ନୂଆଦିଲ୍ଲୀ,୫।୧୨: ଭାରତୀୟ ପର୍ଯ୍ୟଟକମାନଙ୍କର ମାନସିକତାରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ୨୦୨୫ ମସିହା ପାଇଁ ଗୁଗଲ୍‌ର “ଇଅର୍ ଇନ୍ ସର୍ଚ୍ଚ” ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ବେଳାଭୂମି କିମ୍ବା ପାହାଡ଼ ପରି ପାରମ୍ପରିକ ସ୍ଥାନ ନୁହେଁ, ବରଂ ମହାକୁମ୍ଭ ମେଳା ଭାରତରେ ସର୍ବାଧିକ ଖୋଜାଯାଇଥିବା ଟ୍ରାଭେଲ୍ ଇଭେଣ୍ଟ ଭାବେ ଶୀର୍ଷ ସ୍ଥାନ ଅଧିକାର କରିଛି।

ଏହି ଆଧ୍ୟାତ୍ମିକ ସମାବେଶକୁ ଲୋକେ କେବଳ ଏକ ଧାର୍ମିକ ଯାତ୍ରା ଭାବେ ନୁହେଁ, ବରଂ ସଂସ୍କୃତି, ନବସୃଜନ, ନିରନ୍ତରତା ଏବଂ ଗ୍ଲୋବାଲ୍ କ୍ୟୁରିଓସିଟିର ଏକ ମିଶ୍ରଣ ଭାବେ ଗ୍ରହଣ କରିଛନ୍ତି।

ଏହି କୁମ୍ଭ ମେଳା ଏକ ବିରଳ ଗ୍ରହ ସଂଯୋଗରେ ଅନୁଷ୍ଠିତ ହୋଇଥିଲା, ଯାହା ପ୍ରାୟ ୧୪୪ ବର୍ଷରେ ଥରେ ଆସିଥାଏ। ଏଥିପାଇଁ ବିଶ୍ୱର କୋଣ କୋଣରୁ କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇବାକୁ ଆସିଥିଲେ।

ଏହି ମେଳାରେ ସୁରକ୍ଷା ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ AI କ୍ୟାମେରା, ଫେସ୍ ରେକଗ୍‌ନିସନ୍ ଓ ଅତ୍ୟାଧୁନିକ ଚାଟବଟ୍ ପରି ହାଇ-ଟେକ୍ ସିଷ୍ଟମର ବ୍ୟବହାର କରାଯାଇଥିଲା।ତୀର୍ଥଯାତ୍ରା ସହିତ ମନୋରଞ୍ଜନର ସନ୍ତୁଳନ ରଖିବା ପାଇଁ ୱାଟର ସ୍ପୋର୍ଟସ୍ ହବ୍ ଓ ଫ୍ଲୋଟିଂ ଜେଟିସ୍ ପରି ନୂତନ ସୁବିଧା ପ୍ରବର୍ତ୍ତନ କରାଯାଇଥିଲା।

ମହାକୁମ୍ଭ ମେଳା ଶୀର୍ଷ ସ୍ଥାନରେ ଥିବା ସତ୍ତ୍ୱେ, ୨୦୨୫ରେ ଭାରତୀୟ ପର୍ଯ୍ୟଟକଙ୍କ ପସନ୍ଦରେ ଅନ୍ୟ କେତେକ ଦେଶୀ ଓ ବିଦେଶୀ ସ୍ଥାନ ମଧ୍ୟ ସାମିଲ ଥିଲା। ଟପ୍ ଟ୍ରାଭେଲ୍ ସର୍ଚ୍ଚ ତାଲିକାରେ ଫିଲିପାଇନ୍ସ ଦ୍ୱିତୀୟ ଏବଂ ଜର୍ଜିଆ ତୃତୀୟ ସ୍ଥାନରେ ରହିଥିଲା। ଭାରତର କାଶ୍ମୀର ପଞ୍ଚମ ସ୍ଥାନରେ ଏବଂ ପୁଡୁଚେରୀ ଦଶମ ସ୍ଥାନରେ ସ୍ଥାନ ପାଇଥିଲା।

Share