୩୧ ଥର ଏଭରେଷ୍ଟରେ ଚଢ଼ି ରେକର୍ଡ କଲେ ଏହି ବ୍ୟକ୍ତି

କାଠମାଣ୍ଡୁ, ୨୮।୫:ନେପାଳର ଏଭରେଷ୍ଟ ମ୍ୟାନ୍‌ ଭାବେ ପରିଚିତ ୫୫ ବର୍ଷୀୟ ପର୍ବତାରୋହୀ କାମି ରିତା ଶେର୍‌ପା ପୁଣିଥରେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗରେ ଚଢ଼ି ରେକର୍ଡ ସୃଷ୍ଟି କରିଛନ୍ତି। ମଙ୍ଗଳବାର ସେ ଏଭରେଷ୍ଟର ଶିଖରରେ ୩୧ତମ ଥର ପାଇଁ ଚଢ଼ି ନିଜ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି। ୧୯୯୨ରେ ଏକ ଏଭରେଷ୍ଟ ଅଭିଯାନରେ ଜଣେ ସହାୟକ କର୍ମଚାରୀ ଭାବେ ସେ ନିଜର ଏହି ଯାତ୍ରା ଆରମ୍ଭ କରିଥିଲେ। ୧୯୯୪ରେ ଶେର୍‌ପା ପ୍ରଥମ ଥର ପାଇଁ ଏଭରେଷ୍ଟର ଶିଖରରେ ଚଢ଼ିଥିଲେ। ଏହାପରଠାରୁ ସେ ପ୍ରତିବର୍ଷ ୮,୮୪୯ ମିଟର ଉଚ୍ଚ ବିଶିଷ୍ଟ ଏଭରେଷ୍ଟ ଶିଖରରେ ଚଢ଼ୁଛନ୍ତି। ନିଜ ସଫଳତା ବିଷୟରେ ପ୍ରତିକ୍ରିୟା ରଖି ଶେର୍‌ପା କହିଛନ୍ତି, ସେ ରେକର୍ଡ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ପ୍ରତ୍ୟେକ ରେକର୍ଡ ଦିନେ ନା ଦିନେ ଭାଙ୍ଗିଥାଏ। ତେଣୁ ଏଥିପ୍ରତି ସେ ବିବ୍ରତ ହୁଅନ୍ତି ନାହିଁ କିମ୍ବା ଖୁସି ହୁଅନ୍ତି ନାହିଁ। ତେବେ ତାଙ୍କର ପର୍ବତାରୋହଣ ନେପାଳକୁ ସାରା ବିଶ୍ୱରେ ପରିଚିତ କରାଇପାରୁଥିବାରୁ ଏହା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି ଶେର୍‌ପା କହିଛନ୍ତି।